fbpx

ଭାଙ୍ଗିଗଲା କି ଦିଦିଙ୍କ ଦମ୍ଭ, କୁଆଡ଼େ ଗଲା ସିଂହୁଣୀର ଗର୍ଜନ: କହିଲେ ମୋଦିଙ୍କ ଲହରୀକୁ ରୋକିବା କଷ୍ଟକର ବ୍ୟାପାର

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ଯଦି କେହି ମୋଦିଙ୍କୁ ଟକ୍କର ଦେଉଛି, ସେ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭାଜପା ସହ ଦିଦିଙ୍କର ରହିଛି ଅହି ନକୁଳ ସମ୍ପର୍କ, ଯାହାର ପରିଣାମ ଏବେ ବି ଦେଖିବାକୁ ମିଳୁଛି । କିଛିଦିନ ହେଲା ଦିଦି ଜାତୀୟ ରାଜନୀତିକୁ ଲମ୍ଫ ପ୍ରଦାନ କରି ବିଭିନ୍ନ ରାଜ୍ୟରେ ନିର୍ବାଚନ ପ୍ରଚାର ଓ ପ୍ରସାରରେ ବ୍ୟସ୍ତ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଶକ୍ତିଶାଳୀ ହେବେ ବୋଲି ଦିଦି ନିକଟରେ ନିଜ ବୟାନରେ କହିଛନ୍ତି ।

ସଂପ୍ରତି ଗୋଆ ଗସ୍ତରେ ଥିବା ମମତା କହିଛନ୍ତି ଯେ, ଦେଶରେ ପେଟ୍ରୋଲ, ଡିଜେଲ, ଏଲପିଜିର ମହଙ୍ଗା ମାଡ଼ ଜାରି ରହିଛି । ସାଧାରଣ ଜନତା ଏଥିରେ ପ୍ରଭାବିତ ହେଉଥିଲେ ହେଁ କେନ୍ଦ୍ର ସରକାରଙ୍କର ଏଥିପ୍ରତି ତିଳେହେଲେ ଭ୍ରୁକ୍ଷେପ ନାହିଁ । କଂଗ୍ରେସର ରାଜନୀତି ପ୍ରତି ଗମ୍ଭୀର ମନୋଭାବ ନଥିବା ପରିଲକ୍ଷିତ ହେଉଛି । ଫଳରେ ମୋଦି ଆହୁରି ଶକ୍ତିଶାଳୀ ହୋଇ ଉଠିବେ । ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବାରେ କଂଗ୍ରେସ ବିଫଳ ହୋଇଛି, ଫଳରେ ଏହାର ପରିଣତି ଦେଶବାସୀଙ୍କୁ ଭୋଗିବାକୁ ପଡ଼ୁଛି । ଏପରିକି କଂଗ୍ରେସ ପଶ୍ଚିମବଙ୍ଗରେ ମଧ୍ୟ ଟିଏମସି ବିପକ୍ଷରେ ନିର୍ବାଚନ ଲଢ଼ିଥିବା ସେ କହିଥିଲେ । ତେବେ ଦିଦିଙ୍କ ଏହି ମନ୍ତବ୍ୟକୁ ତର୍ଜମା କଲେ ଜଣାପଡ଼ୁଛି ଯେ, ଦିଦି କଂଗ୍ରେସର କାର୍ଯ୍ୟକୁ ନେଇ ଏକପ୍ରକାର ହତୋତ୍ସାହିତ ହୋଇଯାଇଛନ୍ତି । ନିକଟରେ ଦିଦି ଦିଲ୍ଲୀ ଯାଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ । କଂଗ୍ରେସ ସହ ଅନ୍ୟ ଦଳମାନେ ଏକଜୁଟ ହୋଇ ଲଢ଼ିଲେ ମୋଦି କ୍ଷମତାରୁ ହଟିପାରିବେ । ମାତ୍ର କଂଗ୍ରେସର ଏ କ୍ଷେତ୍ରରେ ପଛୁଆ ମନୋବୃତ୍ତି ଯୋଗୁଁ ମୋଦି ଆହୁରି ଶକ୍ତିଶାଳୀ ହୋଇ ଚାଲିଥିବେ ବୋଲି ମମତା କହିଛନ୍ତି ।

Get real time updates directly on you device, subscribe now.