fbpx

‘ଯଦି ଜାଣିଥାନ୍ତି ରାଜନୀତି ଏତେ ଅସନା ହୋଇଯିବ, ମୁଁ କଦାପି ଏଥିରେ ପାଦ ଦେଇନଥାନ୍ତି’

କୋଲକାତା: ଯଦି ମୋତେ ଜଣା ଥାଆନ୍ତା ରାଜନୀତି ଏତେ ନିଚ୍ଚ ସ୍ତରକୁ ଚାଲିଯିବ, ତେବେ ମୁଁ କେବେ ରାଜନୀତିକୁ ଆସିନଥାନ୍ତି। ଏହା କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୁଣି ଥରେ ସେ କେନ୍ଦ୍ରୀୟ ଏଜେନ୍ସି ଉପରେ ପ୍ରଶ୍ନ ଉଠାଇଛନ୍ତି। ମମତା ଏହି ପ୍ରଶ୍ନ ସେହି ସମୟରେ ଉଠାଇଛନ୍ତି ଯେତେବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଥରେ ମଙ୍ଗଳବାର ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସମନ ପଠାଇଛି। କୋଇଲା ଦୁର୍ନୀତି ମାମଲା ସଂପର୍କରେ ପଚରା ଉଚୁରା ପାଇଁ ଅଭିଷେକଙ୍କୁ ଇଡି ତଲବ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଜେନ୍ସି ତରଫରୁ ମିଳୁଥିବା ଏହି ସମନକୁ ଖୋଲା ହିଂସା ଦର୍ଶାଇଛନ୍ତି।

ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି, ଏଜେନ୍ସିର ସମନ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ଏହା ଏକ ଖୋଲା ହିଂସା। ଯଦି ମୋତେ ଜଣା ଥାଆନ୍ତ ରାଜନୀତି ଏତେ ନିମ୍ନସ୍ତରକୁ ଚାଲିଯିବ ତେବେ ମୁଁ କଦାପି ରାଜନୀତିରେ ପାଦ ଦେଇନଥାନ୍ତି। ଗୋଚାଲାଣ ଏବଂ କୋଇଲା ଚାଲାଣ ପ୍ରସଙ୍ଗରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଏଦଂ କେନ୍ଦ୍ର ସରକାର ଦାୟୀ ବୋଲି ମମତା ପୁଣି ଥରେ ଅଭିଯୋଗ କରିଛନ୍ତି।

ମମତା କହିଛନ୍ତି ଆପଣ ସବୁ ସମୟରେ ସମସ୍ତଙ୍କୁ ବୋକା ବନେଇ ପାରିବେ ନାହିଁ। ଯେଉଁଭଳି ଆପଣ ମୋତେ ଗଣମାଧ୍ୟମରେ ବିନା ପ୍ରମାଣରେ ବଦନାମ କରୁଛନ୍ତି, ଯେଉଁଭଳି ଭାଷା ପ୍ରୟୋଗ କରୁଛନ୍ତି ଏବଂ ‘ସୂତ୍ର’ର ଦ୍ଵାହି ଦେଉଛନ୍ତି, ଆପଣଙ୍କୁ ଚିନ୍ତା କରିବା ଉଚିତ୍ ଯେ, ଆପଣଙ୍କ ସହିତ ବି ଏମିତି ହୋଇପାରେ। ଟିଏମସି ନେତାମାନଙ୍କ କହିବା କଥା ଇଡି ଏବଂ ସିବିଆଇ ପାର୍ଟି କାର‌୍ୟ୍ୟକ୍ରମ ଆଖପାଖରେ ସେମାନଙ୍କ ବିରୋଧରେ କାମ କରୁଛି।

ଭାରତୀୟ ଜନତା ପାର୍ଟିର ନେତା ଅଭିଯୋଗ କରିଛନ୍ତି ଯେ, ଗୋଚାଲାଣ ଏବଂ କୋଇଲା ଚାଲାଣରୁ ମିଳୁଥିବା ଅର୍ଥ କୋଲକାତାର କାଳୀଘାଟ ଯାଉଛି। ଆଉ ଏଠାରେ ମମତା ବାନାର୍ଜୀ ହିଁ ରହୁଛନ୍ତି। ଏହି ସ୍ଥାନ କାଳୀ ମନ୍ଦିର ପାଇଁ ପ୍ରସିଦ୍ଧ। ଏହା ଉପରେ ମମତା ବାନାର୍ଜୀ କହିଛନ୍ତି, ଆପଣ ଅଭିଯୋଗ କରୁଛନ୍ତି, ଦୁର୍ନୀତି ଟଙ୍କା କାଳୀଘାଟ ଆସୁଛି। ମୁଁ ପଚାରୁଛି କାଳୀଘାଟ କାହା ଅଧୀନରେ ରହିଛି ?

 

Get real time updates directly on you device, subscribe now.