ମାଣିକ ଶାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ହେଲା ନିଷ୍ପତ୍ତି

ବିପ୍ଲବ ଦେବ କୁମାର ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ମାଣିକ ଶାହା ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ଶନିବାର ବିପ୍ଲବ ଦେବ କୁମାର ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଯାହାପରେ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବରେ ନୂଆ ଚେହେରା ଡା. ମାଣିକ ଶାହାଙ୍କୁ ଚୟନ କରାଯାଇଛି । ମାଣିକ ଶାହା ତ୍ରିପୁରାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୂପେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି ।

ଶନିବାର ଇସ୍ତଫା ଦେବା ପରେ ବିପ୍ଲବ ଦେବ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ତାଙ୍କ ପାଇଁ ଦଳର ନିଷ୍ପତ୍ତି ସର୍ବୋପରି । ହାଇକମାଣ୍ଡଙ୍କ କହିବାନୁସାରେ ସେ ଦଳ ଛାଡ଼ିଛନ୍ତି । ଏବେ ସେ ଦଳରେ ଜଣେ ଶୃଙ୍ଖଳିତ ସିପାହୀ ଭଳି କାମ କରିବେ ।

କୁହାଯାଉଛି ବିପ୍ଲବ ଦେବଙ୍କୁ ନେଇ ଦଳ ନାରାଜ ରହିଥିଲା । ଦୁଇ ବିଧାୟକ ଦଳ ଛାଡ଼ିଥିଲେ । ବିଧାନସଭା ନିର୍ବାଚନ ରଣନୀତିକୁ ନେଇ ବିଜେପି କୌଣସି ରିସ୍କ ନେବାକୁ ଚାହୁନାହିଁ । ସୂଚନାଯୋଗ୍ୟ, ଆସନ୍ତା ବର୍ଷ ୨୦୨୩ ରେ ରାଜ୍ୟରେ ନିର୍ବାଚନ ହେବ ।

ଉଲ୍ଲେଖଯୋଗ୍ୟ, ୨୦୧୮ରେ ବିପ୍ଲବ ଦେବ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏମିତିରେ କୁହାଯାଉଛି ଯେ ନିର୍ବାଚନ ପୂର୍ବରୁ ଭାଜପା ପାର୍ଟୀକୁ ମଜବୁତ କରିବା ପାଇଁ ନୂଆ ଚେହେରାଙ୍କୁ ରାଜ୍ୟର ଶାସନ ଭାର ଦେବା ପାଇଁ ପଦକ୍ଷେପ ନେଇଛନ୍ତି ।