fbpx

୨୦୨୪ରେ ନିର୍ବାଚନ ଲଢ଼ୁନାହାନ୍ତି ଅନେକ ବଡ଼ ବଡ଼ ନେତା: ଦେଖନ୍ତୁ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ସାତ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଆଗକୁ ଆଉ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରିବା ପରେ ଟିକେଟ କଟିବା ପରେ କିଛି ନେତା ଦଳ ଛାଡ଼ି ନୂଆ ଏକ ଦଳରେ ସାମିଲ ହେଉଥିବା ଦେଖାଯାଉଛି । ସେହିପରି ଟିକେଟ ପାଇଥିବା ନେତାମାନେ ପ୍ରବଳ ଖରାକୁ ଖାତିର ନକରି ପ୍ରଚାରରେ ଲାଗିପଡ଼ିଛନ୍ତି । ଆସନ୍ତା ୧୩ ତାରିଖରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ ।

ତେବେ ୨୦୨୪ ସାଧାରଣ ନିର୍ବାଚନରେ ଅନେକ ବଡ଼ ବଡ଼ ନେତା ଅଂଶଗ୍ରହଣ କରୁନାହାନ୍ତି । ବିଭିନ୍ନ ରାଜନୈତିକ ଦଳରୁ ଏପରି ଅନେକ ନେତାଙ୍କ ନାମ ଏହି ଲିଷ୍ଟରେ ସାମିଲ ରହିଛି । କିଛି ନେତାଙ୍କୁ ଦଳ ଟିକେଟ ଦେଇନଥିବା ବେଳେ ଆଉ କିଛି ନେତା ନିଜେ ଲଢ଼ୁନଲେ ବି ନିର୍ବାଚନରେ ସକ୍ରିୟ ରହିଥିବା ଦେଖିବାକୁ ମିଳୁଛି ।

୧- ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ: ଗଞ୍ଜାମ ରାଜନୀତିର ଏହି ବଡ଼ ଚେହେରା ଏଥର ନିର୍ବାଚନ ଲଢ଼ୁନାହାନ୍ତି । ୨୦୧୯ରେ ସେ ବିଜେଡିରେ ସାମିଲ ହୋଇଥିଲେ । ସେ ଏବେ ବିଜେଡି ଇସ୍ତାହାର କମିଟିର ଅଧ୍ୟକ୍ଷ ରହିଛନ୍ତି ।

୨- ବଡ଼ଚଣା ବିଧାୟକ ଅମର ଶତପଥୀ: ଯାଜପୁର ରାଜନୀତିରେ ଏହି ବଡ଼ ଚେହେରା ଏଥର ନିର୍ବାଚନ ଲଢ଼ୁ ନାହାନ୍ତି । ତାଙ୍କ ବଦଳରେ ଦଳ ଏଥର ବଡ଼ଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ।

୩- ବିଜେଡି ବିଧାୟକ ଭୂପିନ୍ଦର ସିଂହ: ପୂର୍ବରୁ ଭୂପିନ୍ଦର କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । କଂଗ୍ରେସରେ ଥିବାବେଳେ ସେ ବିଧାନସଭାରେ ବିରୋଧୀ ଦଳ ନେତା ରହିଥିଲେ । ସେ ଏଥର ନିର୍ବାଚନ ଲଢ଼ୁନାହାନ୍ତି ।

୪- ବିଜେଡି ବିଧାୟକ ଅନନ୍ତ ଦାସ: ଭୋଗରାଇ ବିଧାୟକ ଏଥର ନିର୍ବାଚନ ଲଢ଼ୁନାହାନ୍ତି । ସେ ପୂର୍ବରୁ ବିଧାନସଭାରେ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇଥିଲେ ।

୫- ବିଜେଡି ବିଧାୟକ ଶଶୀଭୂଷଣ ବେହେରା: ବିଜେଡି ସରକାରରେ ଏକଦା ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ଶଶୀଭୂଷଣ ଏଥର ନିର୍ବାଚନ ଲଢ଼ୁନାହାନ୍ତି । ସେ ଜୟଦେବ ବିଧାନସଭା ଓ କେନ୍ଦ୍ରାପଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୬- ବିଧାୟକ ରଘୁନନ୍ଦନ ଦାସ: ବାଲିକୁଦା-ଏରସମା ବିଧାୟକ ଏଥର ନିର୍ବାଚନ ଲଢ଼ୁ ନାହାନ୍ତି । ସେ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ପଦରେ ରହିଥିଲେ ।

୭- ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ: ପୂର୍ବତନ ବିଧାୟକ ତଥା ରାଜ୍ୟ କଂଗ୍ରେସର ଅନ୍ୟତମ ଆଗଧାଡ଼ିର ଚେହେରା ଏଥର ନିର୍ବାଚନ ଲଢ଼ୁନାହାନ୍ତି । ସେ ସତ୍ୟବାଦୀର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପ୍ରାର୍ଥୀ ହୋଇନଥିଲେ ବି ଚଳିତ ନିର୍ବାଚନରେ ସେ ସକ୍ରିୟ ରହିଛନ୍ତି ।

୮- ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ: କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଚିରଞ୍ଜୀବ ଏଥର ନିର୍ବାଚନ ଲଢ଼ୁନାହାନ୍ତି । ସେ ଜଗତସିଂହପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୯- ସମୀର ମହାନ୍ତି: ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଏଥର ନିର୍ବାଚନ ଲଢ଼ୁନାହାନ୍ତି । ପୂର୍ବରୁ ସେ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିଲେ । ସେ ଚଳିତ ନିର୍ବାଚନରେ ସକ୍ରିୟ ରହିଛନ୍ତି ।

୧୦- ପଞ୍ଚାନନ କାନୁନଗୋ: ରାଜ୍ୟ ସରକାରଙ୍କର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଏଥର ନିର୍ବାଚନ ଲଢ଼ୁନାହାନ୍ତି । ସେ ରାଜ୍ୟ କଂଗ୍ରେସର ଅନ୍ୟତମ ପ୍ରମୁଖ ଚେହେରା ଭାବେ ଜଣାଶୁଣା ଅଟନ୍ତି ।

୧୧- ବାପି ସର୍ଖେଲ: ପାରାଦୀପର ବିଶିଷ୍ଟ ଟାଣୁଆ ନେତା ପୂର୍ବରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିଲେ । ଚଳିତ ଥର ସେ ଓ ତାଙ୍କ ପତ୍ନୀ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ।

୧୨- ସାଂସଦ ଅନୁଭବ ମହାନ୍ତି: ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଏଥର ନିର୍ବାଚନ ଲଢ଼ୁନାହାନ୍ତି । ସେ ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ମାତ୍ର ସେ ଏଥର ନିର୍ବାଚନ ଲଢ଼ୁନାହାନ୍ତି ।

୧୩- ଶ୍ରୀମୟୀ ମିଶ୍ର: ଭୁବନେଶ୍ୱରୁ ସାଂସଦ ପ୍ରାର୍ଥୀ ହେବା ନେଇ ଶ୍ରୀମୟୀଙ୍କ ନାମ ବେଶ୍ ଚର୍ଚ୍ଚା ହେଉଥିଲା । ଏପରିକି ଶ୍ରୀମୟୀ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଥିଲେ । ମାତ୍ର ଶେଷରେ ତାଙ୍କ ସ୍ଥାନରେ ବିଜେଡି ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଥିଲା । ଅନ୍ୟ କୌଣସି ଆସନରୁ ଶ୍ରୀମୟୀ ପ୍ରାର୍ଥୀ ହୋଇ ନଥିବାରୁ ଏଥର ସେ ନିର୍ବାଚନ ଲଢ଼ୁନାହାନ୍ତି ।

୧୪- ଇରାନୀ ରାୟ: ନୟାଗଡ଼ରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ଇରାନୀ । ମାତ୍ର ଦଳ ତାଙ୍କୁ କୌଣସି ଆସନରୁ ପ୍ରାର୍ଥୀ କରିନଥିଲା ।

୧୫- ପ୍ରବୋଧ ତିର୍କୀ: ହକି ତାରକା ପ୍ରବୋଧଙ୍କୁ କଂଗ୍ରେସ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଆସନରୁ ପ୍ରାର୍ଥୀ କରିଥିଲା । ମାତ୍ର ପରେ ତାଙ୍କର ଟିକେଟ କଟିଯାଇଥିଲା । ପରେ ସେ ବିଜେପିରେ ସାମିଲ ହୋଇଥିଲେ ହେଁ ଦଳ ତାଙ୍କୁ କୌଣସି ଆସନରୁ ପ୍ରାର୍ଥୀ କରିନଥିଲା ।

Get real time updates directly on you device, subscribe now.