fbpx

ରାଜ୍ୟର ପ୍ରତି ବ୍ଲକ, ପଞ୍ଚାୟତରେ ଖୋଲିବ ମିଶନ ଶକ୍ତି ମାର୍କେଟ ବିଲଡିଂ ଓ କାଫେ: SHGଙ୍କୁ ଅଧିକ ଋଣ ପ୍ରଦାନ ନେଇ ବ୍ୟାଙ୍କକୁ ଚିଠି ଲେଖିଲା ଅର୍ଥ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହିଳା ସଶକ୍ତିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଫଳରେ ଆଜି ରାଜ୍ୟରେ ୭୦ ଲକ୍ଷ ମହିଳା ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି । ତେବେ ଏହି କ୍ରମରେ ମହିଳାଙ୍କ ବିକାଶ ପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ମାର୍କେଟ ବିଲଡିଂ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ସୂଚନା ମୁତାବକ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ଙ୍କୁ ଆବଶ୍ୟକ ତାଲିମ ଦେବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଏଥିସହିତ ସେମାନଙ୍କୁ ଅଧିକ ପରିମାଣର ଋଣ ସହାୟତା ପାଇଁ ରାଜ୍ୟ ଅର୍ଥ ବିଭାଗ ସମସ୍ତ ବ୍ୟାଙ୍କକୁ ଚିଠି ଲେଖିଛି । ରାଜ୍ୟର ୩ ଲକ୍ଷ ଏସଏଚଜିଙ୍କୁ ବର୍ତ୍ତମାନ ୮ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଉଥିବା ବେଳେ ବିନା ସୁଧରେ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ମଞ୍ଜୁର କରାଯାଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ୫୦ ହଜାର କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯିବ ।

ତେବେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ମାର୍କେଟ ବିଲଡିଂ ଖୋଲିବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ତରଫରୁ ମିଶନ ଶକ୍ତି ବିଭାଗ ପକ୍ଷରୁ ସୁପାରିଶ କରାଯାଇଛି । ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ୫୦୦ ଖୁଚୁରା ବିକ୍ରୟ କେନ୍ଦ୍ର ଖୋଲାଯିବ । ଏହାବ୍ୟତୀତ ରାଜଧାନୀ ଭୁବନେଶ୍ୱରରେ ଏକ ମିଶନ ଶକ୍ତି ବୁଟିକ୍ ପ୍ରତିଷ୍ଠା କରାଯିବ । ଏସଏଚଜିଙ୍କ ସାମଗ୍ରୀକୁ ଅନଲାଇନରେ ମାର୍କେଟିଂ କରିବା ପାଇଁ ଫ୍ଲିକପର୍ଟ ସହିତ ବୁଝାମଣା କରାଯାଇଛି । ମିଶନ ଶକ୍ତି ମହିଳାଙ୍କ ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ପଞ୍ଚାୟତିରାଜ ବିଭାଗ ତରଫରୁ ୭୮୭୮ଟି ଗୃହ ନିର୍ମାଣ କରାଯିବ । ଆଗକୁ ପ୍ରତି ବ୍ଲକ, ପଞ୍ଚାୟତରେ ମିଶନ ଶକ୍ତି ବଜାର, ମିଶନ ଶକ୍ତି କାଫେ ଖୋଲାଯିବା ସହ ଜିଲ୍ଲା ସ୍ତରରେ ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି ।

Get real time updates directly on you device, subscribe now.