fbpx

ଆମେରିକାରେ ବଢି ଚାଲିଛି ଆର୍ଥିକ ସଙ୍କଟ: ୩୦୦୦ କର୍ମଚାରୀଙ୍କୁ ଛଟେଇ କରିବ ମୋର୍ଗାନ ଷ୍ଟାନଲି

ନୂଆଦିଲ୍ଲୀ: ମୋର୍ଗାନ ଷ୍ଟାନଲି ପୁଣିଥରେ କର୍ମଚାରୀମାନଙ୍କୁ ବଡ଼ ଆକାରରେ ଛଟେଇ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆମେରିକାରେ ଆର୍ଥିକ ସଙ୍କଟ ଏବଂ ମାନ୍ଦାବସ୍ତା ଆଶଙ୍କାକୁ ଦୃଷ୍ଟିରେ ରଖି ଖର୍ଚ୍ଚ କାଟ କରିବାକୁ ମୋର୍ଗାନ ଷ୍ଟାନଲି ପୁଣି ଛଟେଇ ପାଇଁ ପ୍ରସ୍ତୁତ ହେଊଛି। ଏବଂ ଅନୁମାନ କରାଯାଉଛି ଯେ ଏହି ରାଉଣ୍ଡରେ ୩୦୦୦ କର୍ମଚାରୀଙ୍କୁ ଛଟେଇ କରାଯାଇପାରେ।

ମୋର୍ଗାନ ଷ୍ଟାନଲିର ବରିଷ୍ଠ ପରିଚାଳକମାନେ ଏହି ଛଟେଇ ପାଇଁ ଯୋଜନା କରୁଛନ୍ତି ଏବଂ ଆଗାମୀ ତ୍ରୈମାସିକ ଶେଷ ସୁଦ୍ଧା କମ୍ପାନୀ ବିଶ୍ଵବ୍ୟାପୀ ୩୦୦୦ କର୍ମଚାରୀଙ୍କୁ କର୍ମକ୍ଷେତ୍ରରୁ ଛଟେଇ କରିପାରେ, ଯାହା କମ୍ପାନୀର ମୋଟ ଶ୍ରମିକଙ୍କ ୫ ପ୍ରତିଶତ ପାଖାପାଖି ଅଟେ। କମ୍ପାନୀର ବ୍ୟାଙ୍କିଙ୍ଗ୍ ଏବଂ ଟ୍ରେଡିଂ ଗ୍ରୁପ୍ ପକ୍ଷରୁ ବଡ଼ ଧରଣର ଛଟେଇ ଆଶଙ୍କା କରାଯାଉଛି, ଯଦିଓ ନ୍ୟୁୟର୍କରେ ରହୁଥିବା ମୋର୍ଗାନ୍ ଷ୍ଟାନଲିର ମୁଖପାତ୍ର ଏହି ବିଷୟରେ କିଛି କହିବାକୁ ମନା କରି ଦେଇଛନ୍ତି, ତେବେ ବର୍ତମାନ ସମୟରେ ଏଥିରେ ପ୍ରାୟ ୮୨,୦୦୦ କର୍ମଚାରୀ କାମ କରୁଛନ୍ତି।

ଏହାପୂର୍ବରୁ ମୋର୍ଗାନ ଷ୍ଟାନଲି ଏହାର ମୋଟ ଶ୍ରମିକଙ୍କ ୨ ପ୍ରତିଶତ ହ୍ରାସ କରିଥିଲେ। ତେବେ ଆମେରିକାର ଅଗ୍ରଣୀ ବ୍ୟାଙ୍କଗୁଡିକ ପ୍ରଥମ ତ୍ରୈମାସରେ ନିରାଶାଜନକ ଫଳାଫଳ ପାଇଛନ୍ତି। ଫେଡେରାଲ ରିଜର୍ଭର ସୁଧ ହାର ବୃଦ୍ଧି କରିବାର ପ୍ରଭାବ ଆର୍ଥିକ କାର୍ଯ୍ୟ ପ୍ରଭାବିତ କରିଛି, ଯାହା ଏହି ବ୍ୟାଙ୍କଗୁଡ଼ିକୁ ପ୍ରଭାବିତ କରିଛି। ମୋର୍ଗାନ ଷ୍ଟାନଲିର ସିଇଓ ଜେମ୍ସ ଗୋରମାନ ଗତ ମାସରେ କହିଥିଲେ ଯେ ଅଣ୍ଡରଟେକିଂ ଏବଂ ବ୍ୟାଙ୍କର ବଡ କାର୍ଯ୍ୟକଳାପରେ ହ୍ରାସ ଘଟିଛି। ତେବେ ଚଳିତ ବର୍ଷର ଦ୍ୱିତୀୟାର୍ଦ୍ଧ କିମ୍ବା ୨୦୨୪ ପୂର୍ବରୁ କୌଣସି ସୁଧାର ସେ ଦେଖୁ ନାହାଁନ୍ତି ବୋଲି କହିଛନ୍ତି।

ଗତ କିଛି ମାସ ମଧ୍ୟରେ ଆଇଟି କମ୍ପାନୀଗୁଡିକ ବଡ଼ ଧରଣର ଛଟେଇ କରିସାରିଛନ୍ତି, କିନ୍ତୁ ଆର୍ଥିକ କ୍ଷେତ୍ରରେ ସଙ୍କଟ ପରେ ମୋର୍ଗାନ ଷ୍ଟାନଲି ପରି କମ୍ପାନୀଗୁଡିକ ମଧ୍ୟ ଏବେ ଛଟେଇ କରୁଛନ୍ତି। ଡିସେମ୍ବର ମାସରେ, ମୋର୍ଗାନ ଷ୍ଟାନଲି ୧୬୦୦ କର୍ମଚାରୀଙ୍କୁ ଛଟେଇ କରି ୧୩୩ ମିଲିୟନ ଡଲାର ସଞ୍ଚୟ କରିଥିଲେ।

Get real time updates directly on you device, subscribe now.