fbpx

ନୂଆ ବ୍ୟବସାୟ ଆରମ୍ଭ କରିବେ ମୁକେଶ ଅମ୍ବାନୀ, ଜାଣନ୍ତୁ କେଉଁ ଉତ୍ପାଦ ନିର୍ମାଣ କରିବ ରିଲାଏନ୍ସ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ କନଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ ହୋମ୍ ଆପ୍ଲାଏନ୍ସ ସେଗମେଣ୍ଟରେ ପ୍ରବେଶ କରିବା ନେଇ ନୂତନ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହା ମାଧ୍ୟମରେ ବିଦେଶୀ କମ୍ପାନୀର ଦବଦବାକୁ ଆଗାମୀ ଦିନରେ ଚ୍ୟାଲେଞ୍ଜ ଦେଇପାରନ୍ତି । ତେବେ ଏନେଇ କମ୍ପାନୀ ତରଫରୁ କୌଣସି ସରକାରୀ ବିବୃତ୍ତି ପ୍ରକାଶ ପାଇନାହିଁ ।

ରିପୋର୍ଟରୁ ପ୍ରକାଶ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କନଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ ହୋମ୍ ଆପ୍ଲାଏନ୍ସ ସେଗମେଣ୍ଟରେ ବିଦେଶୀ କମ୍ପାନୀର ଦବଦବାକୁ ଚ୍ୟାଲେଞ୍ଜ କରିବ । ଏଥିପାଇଁ ୱାଇଜର(Wyzr) ବ୍ରାଣ୍ଡ୍ ଅନ୍ତର୍ଗତ ମେଡ୍ ଇନ୍ ଇଣ୍ଡିଆ ପ୍ରଡକ୍ଟ ଲଞ୍ଚ୍ କରାଯିବ । ଆଗାମୀ ଦିନରେ ଏହି ଯୋଜନା ଅନ୍ତର୍ଗତ ମୁକେଶ ଅମ୍ବାନୀ ଏଲଇଡି ବଲ୍‌, ଟିଭି, ଏସି, ଫ୍ରିଜ୍‌, ୱାଶିଂ ମେସିନ୍ ଭଳି ଅନ୍ୟାନ୍ୟ ଉପକରଣ ଲଞ୍ଚ୍ କରିପାରେ । ଏନେଇ ରିଲାଏନ୍ସ କମ୍ପାନୀ ମେନୁଫ୍ୟାକ୍‌ଚରିଂ ଏବଂ ପ୍ରଡକ୍ସନ ଚୁଡ଼ାନ୍ତ କରିବା ପାଇଁ କଥାବାର୍ତ୍ତା ଆରମ୍ଭ କରିଛି । ବର୍ତ୍ତମାନ ୱାଇଜର ବ୍ରାଣ୍ଡ୍ ଅନ୍ତର୍ଗତ ଘରୋଇ ବୈଦ୍ୟୁତିକ ଉପକରଣ ନିମାର୍ଣ ପାଇଁ କଣ୍ଟ୍ରକ୍ଟ ଆଧାରରେ ମେନୁଫ୍ୟାକ୍‌ଚରିଂ କରୁଥିବା ଘରୋଇ କମ୍ପାନୀ ଡିକ୍ସନ୍ ଟେକ୍ନୋଲୋଜିସ୍ ଏବଂ ମର୍କ ଇଲେକ୍ଟ୍ରୋନିକ୍ସ (ଓନିଡାର ପ୍ୟାରେଣ୍ଟ କମ୍ପାନୀ) ସହ ଏଗ୍ରୀମେଣ୍ଟ ପ୍ରକ୍ର୍ରିୟା ଜାରି ରହିଛି । କହିରଖୁଛୁ ଇଲେକ୍ଟ୍ରୋନିକ୍ ସେଗମେଣ୍ଟରେ ରିଲାଏନ୍ସର ଉପସ୍ଥିତି ସୀମିତ ଅଟେ । ୨୦୨୨ରେ ରିଲାଏନ୍ସ କମ୍ପାନୀ ଆମେରିକୀୟ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀ କମ୍ପାନୀ Sanminaର ଭାରତୀୟ ୟୁନିଟରେ ୫୦.୧ ପ୍ରତିଶତ ଅଂଶଧନ ହାସଲ କରି ୧୬୭୦ କୋଟି ଟଙ୍କାରେ ଅଧିଗ୍ରହଣ କରିଥିଲା । ଚେନ୍ନାଇରେ Sanminaର ୧୦୦ ଏକର ମେନୁଫ୍ୟାକ୍‌ଚରିଂ ପ୍ଲାଣ୍ଟ ରହିଛି ଯେଉଁଠାରେ ୱାଇଜର ବ୍ରାଣ୍ଡର ଉତ୍ପାଦ ନିର୍ମିତ ହୋଇପାରିବ ।

 

Get real time updates directly on you device, subscribe now.