fbpx

ଅଧାରେ ରହିଗଲା ବିରଳ ରେକର୍ଡ: ଆଉ ମାତ୍ର ୭୪ ଦିନ ପୂରଣ କରିଥିଲେ ଦେଶରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥାନ୍ତେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ଚକିତ କରିଦେଇଛି । କ୍ରମାଗତ ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିଆସୁଥିବା ବିଜେଡିର ଶାସନ ରେସରେ ଲାଗିଛି ରୋକ । ‘ଜନତା ଚାହିଁଲେ ସରକାର ବଦଳିବ, ଜନତା ଚାହିଁଲେ ସରକାର ଚାଲିବ’ ଏହା ପୁଣି ଥରେ ପ୍ରମାଣ କରି ଦେଖାଇଛନ୍ତି ରାଜ୍ୟର ଭୋଟର । ୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ୭୮ଟି, ବିଜେଡି ୫୧ଟି, କଂଗ୍ରେସ ୧୪ଟି, ସ୍ୱାଧୀନ ୩ଟି ଓ ସିପିଆଇ (ଏମ୍) ୧ଟି ଆସନରେ ବିଜୟୀ ହୋଇଛନ୍ତି ।

ଚଳିତ ବିଧାନସଭା ନିର୍ବାଚନରେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସର ବହୁ ହେଭିୱେଟ ପରାସ୍ତ ହୋଇଛନ୍ତି । ଏଥିସହିତ ତିନି ଦଳର ସଭାପତିମାନେ ମଧ୍ୟ ନିଜ ଗଡ଼କୁ ରକ୍ଷା କରିବାରେ ବିଫଳ ହେଉଛନ୍ତି । ତେବେ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି କ୍ରମାଗତ ୫ମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିଥିବା ମହାନାୟକ ନବୀନ ପଟ୍ଟନାୟକଙ୍କୁ ନେଇ ।

ସର୍ବଦା ଶାନ୍ତ, ଧୀର, ସ୍ଥିର ରହୁଥିବା ନବୀନଙ୍କୁ ନେଇ ସୋସିଆଲ ମିଡ଼ିଆରେ ଅନେକ ୟୁଜର୍ସ ଅଶ୍ରୁଭରା ହୃଦୟରେ ବିଦାୟ ଦେଉଛନ୍ତି । ବିଜେଡି ରାଜ୍ୟରେ କ୍ଷମତାଚ୍ୟୁତ ହୋଇଥାଇପାରେ, ମାତ୍ର ନବୀନ ଆଜି ବି ଲୋକଙ୍କ ହୃଦୟରେ ରହିଛନ୍ତି ତାହା ପ୍ରମାଣିତ ହେଉଛି । ତେବେ ବିଜେଡିର ଅପ୍ରତ୍ୟାଶିତ ପରାଜୟ ଫଳରେ ନବୀନଙ୍କ ଏକ ମହାନ୍ ରେକର୍ଡ ଅଧୁରା ହୋଇ ରହିଯାଇଛି । ଆଉ ମାତ୍ର ୭୪ ଦିନ ପୂରଣ କରିଥିଲେ ନବୀନ ସର୍ବାଧିକ ସମୟ ଶାସନ କରିବାର ବିରଳ ରେକର୍ଡ କରିପାରିଥାନ୍ତେ । ମାତ୍ର ତାହା ଆଜି ଭାଙ୍ଗି ଚୁରମାର ହୋଇଯାଇଛି । ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଂ ୨୪ ବର୍ଷ ୧୬୫ ଦିନ ମୁଖ୍ୟମନ୍ତ୍ରୀ ରହି ରେକର୍ଡ କରିଛନ୍ତି । ଉକ୍ତ ତାଲିକାରେ ନବୀନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ନବୀନ ୨୪ ବର୍ଷ ୯୧ ଦିନ ପଦବୀରେ ରହିସାରିଥିଲେ । ତେଣୁ ସେ ଯଦି ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥାନ୍ତେ ତେବେ ଆସନ୍ତା ଅଗଷ୍ଟରେ ସେ ଚାଲମିଂଙ୍କ ରେକର୍ଡ ଭାଙ୍ଗି ଦେଶରେ ଏକ ବିରଳ ରେକର୍ଡ ସ୍ଥାପନ କରିଥାନ୍ତେ । ମାତ୍ର ଗୋଟିଏ ପରାଜୟ ଆଜି ନବୀନଙ୍କୁ ଅଧା ବାଟରେ ଛାଡ଼ି ଦେଇଛି । ନବୀନଙ୍କ ଏହି ବିରଳ ରେକର୍ଡ ସ୍ଥାପନ ପାଇଁ ବିଜେଡି ପକ୍ଷରୁ ପୂର୍ବରୁ ଜୋରଦାର୍ ଭାବେ ପ୍ରୟାସ କରାଯାଉଥିଲା ।

Get real time updates directly on you device, subscribe now.