ଆମିଷ ଖାଇ ନୂଆ ବର୍ଷ ପାଳିବେ ଲୋକେ, ବଜାରରେ ଭିଡ଼ କହିଲେ ନ ସରେ …
ଶୁଖୁଆ ପାଇଁ ବଢୁଛି ଲୋକଙ୍କ ଆଗ୍ରହ । ଗୋଟିଏ ଦିନରେ ମାଲାମାଲ ହୋଇଯିବେ ବ୍ୟବସାୟୀ ।
ଭୁବନେଶ୍ୱର: ୨୦୨୪କୁ ବିଦାୟ ଦେଇ ନୂଆ ବର୍ଷ ୨୦୨୫ ଆରମ୍ଭ ହୋଇସାରିଛି । ମଜାମସ୍ତିରେ ପ୍ରିୟଜନଙ୍କ ସହ ନୂଆବର୍ଷ ମନେଇବା ପାଇଁ ପିକନିକ୍ ସାଙ୍ଗକୁ ଭୋଜି ଭାତର ଆୟୋଜନ ମଧ୍ୟ ହୋଇଛି । ବୁଧବାର ନୂଆବର୍ଷ ପଡ଼ିବା କାରଣରୁ ଆମିଷ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ମାଛଠାରୁ ଆରମ୍ଭ କରି ମଟନ୍ ଏବଂ ଚିକେନ୍ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ସେଥିପାଇଁ ସକାଳୁ ସକାଳୁ ଆମିଷ ହାଟରେ ଲୋକଙ୍କର ଲାଗିଛି ଲମ୍ବା ଲାଇନ୍ ।
ଗ୍ରାହକଙ୍କ ଆଗ୍ରହକୁ ଦେଖି ମାଛ, ଚିକେନ୍ ଏବଂ ମଟନ ଦୋକାନୀ ମଧ୍ୟ ଦୋକାନରେ ମାଲ୍ ଗଦା କରି ରଖିଛନ୍ତି । ଆଖି ପିଛୁଳାକେ ଦୋକାନରୁ ଖାଲିହେବାରେ ଲାଗିଛି, ଜିନିଷ ।
ରାଜଧାନୀ ଭୁବନେଶ୍ୱରରେ ଥିବା ୪ ନମ୍ବର ମାର୍କେଟରେ ଲୋକଙ୍କ ଭାରି ଭିଡ଼ ଦେଖିବାକୁ ମିଳିଛି । ପ୍ରତ୍ୟେକ ଦୋକାନରେ ଲୋକ ଲାଇନ୍ କରି ଛିଡ଼ା ହୋଇଛନ୍ତି, ନନଭେଜ୍ କିଣିବା ପାଇଁ ।
ଲୋକଙ୍କ ଚାହିଦାକୁ ଦେଖି ମାର୍କେଟରେ ନନଭେଜର ରେଟ କିନ୍ତୁ ସମାନ ରହିଛି ।
ରାଜଧାନୀରେ ମଟନ୍ କିଲୋ ପିଛା ୭୫୦ ଟଙ୍କା ଥିବାବେଳେ ଭାକୁରମାଛ କିଲୋ ୨୦୦ ଟଙ୍କାରେ ବିକ୍ରି ହେଉଛି । ରୋହି ମାଛ ୧୭୦ ଟଙ୍କା ପ୍ରତି କିଲୋ ବିକ୍ରି କରୁଛନ୍ତି ଦୋକାନୀ ।
ଚିକେନ୍ ଦର ମଧ୍ୟ ଅପରିବର୍ତ୍ତିତ ରହି କିଲୋ ପିଛା ୨୦୦ ଟଙ୍କାରେ ବିକ୍ରି କରାଯାଉଛି । ଅଣ୍ଡା ଡଜନ୍ ୯୬ ଟଙ୍କାରେ ବିକ୍ରି କରାଯାଉଛି । ବାଗ୍ଦା ଚିଙ୍ଗୁଡ଼ି ଦାମ୍ ୬୫୦ କିଲୋ ରହିଛି । ଇଲିଶି ମାଛର ଦାମ୍ ୧୮୯୯ ପାଖାପାଖି ୨୦୦୦ ଟଙ୍କା ରହିଛି । ଦାମ୍ ଅଧିକ ହେଲେ ବି ଲୋକ କିନ୍ତୁ ଆମିଷ କିଣା ପାଇଁ ନୂଆ ବର୍ଷରେ ମଉକା ଛାଡ଼ୁ ନାହାନ୍ତି ।
ମାଛ, ମାଂସ, ଚିକେନକୁ ଛାଡ଼ିଦେଲେ, ଶୁଖୁଆ ଦୋକାନରେ ମଧ୍ୟ ଲୋକ ଜମା ହୋଇଛନ୍ତି ।
ଶୁଖୁଆ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଦୋକାନରେ ଭଳି କି ଭଳି ଶୁଖୁଆ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି ।
ଚିଙ୍ଗୁଡ଼ି ଶୁଖୁଆଠାରୁ ଆରମ୍ଭ କରି ଖଇଙ୍ଗା, ଚାନ୍ଦି ଏବଂ ଇଲିଶି ଶୁଖୁଆ କିଣିବା ପାଇଁ ବେଶୀ ପସନ୍ଦ କରୁଛନ୍ତି ଲୋକେ ।