ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ଉପହାର ଦେଇଛନ୍ତି । ମୋଦି ଆଜି ରାଷ୍ଟ୍ରୀୟ ହାଇଡ୍ରୋଜେନ ମିଶନର ଘୋଷଣା କରିଛନ୍ତି । ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପୂର୍ବରୁ ଭାରତକୁ ଶକ୍ତି କ୍ଷେତ୍ରରେ ସ୍ୱାଧୀନ ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅବସରର ଶକ୍ତି କ୍ଷେତ୍ରର ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଯୋଜନୀ ଦ୍ୱାରା ଭାରତ ବିଶ୍ୱରେ ସବୁଜ ହାଇଡ୍ରୋଜେନ ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ହବ୍ ପାଲଟିବ । ସବୁଜ ହାଇଡ୍ରୋଜନ କ୍ଷେତ୍ର ମାଧ୍ୟମରେ ଭାରତ ପ୍ରଗତି ଆଡ଼କୁ ଏକ ବଡ଼ ଲମ୍ଫ ପ୍ରଦାନ କରିବ । ଏହାସହ ଦେଶରେ ଉନ୍ନତ ଭିତ୍ତିଭୂମି ନିର୍ମାଣ ଓ ରୋଜଗାର ବୃଦ୍ଧି ପାଇଁ ୧୦୦ ଲକ୍ଷ କୋଟିର ଗତିଶକ୍ତି ଯୋଜନାର ମଧ୍ୟ ଶୁଭାରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବର୍ତ୍ତମାନ ଦେଶରେ ହାଇଡ୍ରେଜେନ ନିର୍ମାଣ ପାଇଁ ଦୁଇ ପ୍ରକାର ଟେକ୍ନୋଲୋଜିର ପ୍ରୟୋଗ କରାଯାଉଛି । ଗୋଟିଏ ପ୍ରଣାଳୀରେ, ପାଣିକୁ ଇଲେକ୍ଟ୍ରୋଲିସିସ୍ କରି ହାଇଡ୍ରୋଜନକୁ ଅଲଗା କରାଯାଇଥାଏ । ଅର୍ଥାତ ପାଣିର ସଦୁପଯୋଗ କରି ହାଇଡ୍ରୋଜେନ କାର୍ ଚାଲିପାରିବ । ଯେଉଁ କାରଗୁଡ଼ିକ ହାଇଡ୍ରୋଜେନ ଗ୍ୟାସ୍ ଫିଲିଂକୁ ସପୋର୍ଟ କରିବ ସେ କ୍ଷେତ୍ରରେ ଏହି ପ୍ରଣାଳୀ ଲାଗୁ ହୋଇପାରିବ । ଦ୍ୱିତୀୟ ପ୍ରଣାଳୀରେ, ପ୍ରାକୃତିକ ଗ୍ୟାସକୁ ହାଇଡ୍ରୋଜେନ ଓ କାର୍ବନରେ ବିଭକ୍ତ କରାଯାଇଥାଏ । ଏଥିରୁ ମିଳୁଥିବା ହାଇଡ୍ରୋଜେନକୁ ଫିଲିଂ କରି ଉପଯୋଗ କରାଯାଇଥାଏ । ଶକ୍ତିର ଆବଶ୍ୟକତା ପୂରଣ ପାଇଁ ପ୍ରତ୍ୟେକ ବର୍ଷ ଦେଶ ୧୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି । ଦେଶ ମୋଟ ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଶକ୍ତିର ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ଆମଦାନୀ କରିଥାଏ । ଅପରପକ୍ଷେ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ଆବଶ୍ୟକତାର ଅଧା ବିଦେଶରୁ ଯୋଗାଣ ହୋଇ ଆସିଥାଏ । ପ୍ରଧାନମନ୍ତ୍ରୀ ୨୦୪୭ ମସିହା ମଧ୍ୟରେ ଭାରତକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ଘୋଷଣା କରିଛନ୍ତି ।