fbpx

ଦୁବାଇରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ: ଅର୍ଥ ଉପାର୍ଜନ କରିବାକୁ ଯାଇ ଆଉ ଫେରିଲେନି

ନୂଆଦିଲ୍ଲୀ: ବର୍ତ୍ତମାନର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ଆବଶ୍ୟକ । ଅର୍ଥାଭାବରୁ ଅନେକ ମେଧାବୀ ଯୁବକ, ଯୁବତୀ ପାଠପଢ଼ାରୁ ବଞ୍ଚିତ ହେଉଥିବା ଦେଖାଯାଉଛି । ତେବେ ଏପରି ସ୍ଥିତିରେ ପିତାମାତା ସେମାନଙ୍କର ପିଲାମାନଙ୍କୁ ମଣିଷ କରିବା ପାଇଁ କିଛି ବି ତ୍ୟାଗ କରିବାକୁ ପଛାନ୍ତି ନାହିଁ । ଜଣେ ଓଡ଼ିଆ ଯୁବକ ନିଜର ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ବିଦେଶ କାମ କରିବାକୁ ଯାଇଥିଲେ । ମାତ୍ର ସେଇ ଯାତ୍ରା ତାଙ୍କର ଶେଷ ଯାତ୍ରା ପାଲଟିଥିଲା ।

ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲାରୁ ଆସିଛି ଏପରି ଏକ ଦୁଃଖଦ ଘଟଣା । ଧୃବ ଚରଣ ବରାଡ଼ ନାମକ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଦୁବାଇକୁ ଦାଦନ ଖଟିବାକୁ ଯାଇଥିଲେ । କୋଦଳା ଅନ୍ତର୍ଗତ ମର୍ଦକୋଟ ଗ୍ରାମର ଧୃବ ହାର୍ଟଚୋକ କାରଣରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଗ୍ରାମରେ ଦୁଃଖର ଲହରୀ ଖେଳିଯାଇଛି । ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁରେ ସମସ୍ତ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

ଧୃବ ଦୁବାଇରେ ଗତ ୮ ବର୍ଷ ଧରି କାମ କରୁଥିଲେ । ଗତବର୍ଷ ନିଜର ଝିଅ ବାହାଘର ପାଇଁ ଧୃବ ଘରକୁ ଆସିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସେ ପୁଣି ଦୁବାଇ ଫେରିଯାଇଥିଲେ । ପରିବାରର ସଦସ୍ୟଙ୍କ ମୁହଁରେ ଦାନା ଗଣ୍ଡେ ଯୋଗାଇ ଦେବାକୁ ସେ ବିଦେଶରେ କଠିନ ପରିଶ୍ରମ କରୁଥିଲେ । ନିଜେ କଷ୍ଟ ସହି ସ୍ତ୍ରୀ ଓ ପିଲାଙ୍କ ଖୁସିରେ ନିଜେ ଖୁସି ହେଉଥିଲେ ଧୃବ । ମାତ୍ର ଆଜି ଧୃବ ଅଧାବାଟରୁ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି । ଧୃବଙ୍କ ମୃତଦେହକୁ ଗାଁକୁ ଆଣିବା ପାଇଁ ପ୍ରଶାସନ ନିକଟରେ ତାଙ୍କର ପରିବାରବର୍ଗ ନିବେଦନ କରିଛନ୍ତି ।

Get real time updates directly on you device, subscribe now.