ଓଡ଼ିଶା ଭାସ୍କର ବ୍ୟୁରୋ: ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଛୋଟ ଛୋଟ ଟାଉନ୍ରେ ଲୋକଙ୍କ ରୋଜଗାର ବୃଦ୍ଧି ସହ ବିଭିନ୍ନ ନାଗରିକ ସୁବିଧାର ବିକାଶ ପାଇଁ ଆମେ କାମ କରୁଛୁ । ରାସ୍ତାଘାଟ, ଡ୍ରେନେଜ୍ ସୁବିଧା ସହିତ ପିଇବା ପାଣିର ସୁବିଧା ଉପରେ ଗୁରୁତ୍ୱ ଦିଆଯାଉଛି । ଦିଗପହଣ୍ଡିର ସବୁ ପରିବାରକୁ ପାଇପ ପାଣି ସଂଯୋଗ ଦିଆଯାଇଛି । ଏହିସବୁ ସୁବିଧା ଦିଗପହଣ୍ଡି ଜନସାଧାରଣଙ୍କ ଜୀବନଯାପନ ମାନରେ ଗୁଣାତ୍ମକ ଉନ୍ନତି ଆଣିବ । ଦିଗପହଣ୍ଡି ଠାରେ ଏକ GK Cotton Ginning & Pressing Mill ଏବଂ ଏକ ନୂଆ ବସ୍ ଟର୍ମିନାଲ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ତୁଳା ଜିନିଙ୍ଗ ମିଲ୍ ରାଜ୍ୟର ସମବାୟ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ । ଚାଷୀଙ୍କ ରୋଜଗାର ବୃଦ୍ଧି ଓ ଫସଲର ବିବିଧକରଣ ପାଇଁ ଏହା ପ୍ରେରଣା ଦେବ ବୋଲି ସେ କହିବା ସହ ରାଜ୍ୟରେ ୮୯ଟି Multipurpose Indoor Stadium ନିର୍ମାଣ କରାଯିବ । ଦିଗପହଣ୍ଡିରେ ମଧ୍ୟ ସେଭଳି ଷ୍ଟାଡିଅମ୍ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିସହ ଅଲିମ୍ପିକ୍ରେ ଓଡ଼ିଶା ଓ ଦେଶର ହକିକୁ ନେଇ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ବିଷୟ ବୋଲି କହିଛନ୍ତି ।
କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।