fbpx

ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସିଭିଲ୍‍ ସର୍ଭିସ୍‍ କୋଚିଂ ଦେବେ ସରକାର, ଟେଣ୍ଡର ଆହ୍ୱାନ କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟର ସିଭିଲ୍ ସର୍ଭିସ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ଖୋଲିବ ସିଭିଲ୍ ସର୍ଭିସ ପ୍ରଶିକ୍ଷଣ କେନ୍ଦ୍ର। ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ସିଭିଲ ସର୍ଭିସ୍‍ କୋଚିଂ ଉପଲବ୍ଧ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଆଗ୍ରହୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଆସନ୍ତାକାଲିଠାରୁ ବିଭାଗର ୱେବସାଇଟ୍‍ରେ ଟେଣ୍ଡର ଆବେଦନ ଫର୍ମାଟ ଉପଲବ୍ଧ ହେବ । ଆସନ୍ତା ଜାନୁଆରୀ ୧୭ ଅପରାହ୍ନ ୫ଟା ସୁଦ୍ଧା ସଂସ୍ଥାଗୁଡ଼ିକ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ଠିକଣାରେ ଟେଣ୍ଡର ଦାଖଲ କରିପାରିବେ ।

ଏଥିପାଇଁ ବିଭାଗ ପକ୍ଷରୁ ଭିତ୍ତିଭୂମି ଯୋଗାଇ ଦିଆଯିବ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସରକାର ୨ ଏକର ଜମି ଯୋଗାଇ ଦେବେ । ଦେଶର ଅଗ୍ରଣୀ ସଂସ୍ଥା ଏଠାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବେ । ଏଥିସହିତ ପ୍ରତି ସପ୍ତାହରେ ବରିଷ୍ଠ ଅଧିକାରୀମାନେ ଦିଗଦର୍ଶନ ଦେବେ । ରାଜ୍ୟର ପିଲାମାନେ ଯେପରି ଆଇଏଏସ, ଆଇପିଏଏସ ଓ ଆଇଏଫଏସ ଭଳି ଉଚ୍ଚକୋଟୀର ପରୀକ୍ଷାରେ ସଫଳତା ଲାଭ କରିବେ ସେନେଇ ସରକାରୀ ସ୍ତରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ହେବ ।

ସୂଚନା ଅନୁସାରେ ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ଅନ୍ୟ ରାଜ୍ୟର ପିଲାମାନେ ସଫଳତା ହାସଲ କରୁଥିବା ବେଳେ ଓଡ଼ିଶାରେ ଛାତ୍ରଛାତ୍ରୀ ଏ କ୍ଷେତ୍ରରେ ପଛରେ ରହିଛନ୍ତି। ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଥିଲେ । ରାଜ୍ୟରେ ପ୍ରଥମ ଥର ପାଇଁ ଆଠଟି ସରକାରୀ ବିଶ୍ୱବିଦ୍ୟାଳୟରେ ଏହି କୋଚିଂ ସୁବିଧା ଉପଲବ୍ଧ ହୋଇଥିଲା । ତେବେ ୨୦୧୮ ମସିହାରେ ଏହା ବନ୍ଦ ହୋଇଯାଇଥିଲା।

ତେବେ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ମେଧାବୀଙ୍କୁ ଚୟନ କରାଯାଇ ମାଗଣା କୋଚିଂ ପ୍ରଦାନ ନେଇ ଗତମାସରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ଲୋଡ଼ା ଯାଇଥିଲା। ଏଥିରେ ୪୦୦ ପିଲାଙ୍କୁ କୋଚିଂ ଦେବାକୁ ବ୍ୟବସ୍ଥା ହୋଇଛି । ମାଗଣା କୋଚିଂ ପାଇଁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ୨୦୦ ଜଣ ମେଧାବୀଙ୍କୁ ଚୟନ କରାଯିବ । ଉକ୍ତ ଛାତ୍ରମାନେ କୋଚିଂ ସେଣ୍ଟରରେ ସେମାନେ ୨ ବର୍ଷ ପାଇଁ ରହିବେ। ସ୍ଥାୟୀ ଗୃହ ନିର୍ମାଣ ନହେବା ପର୍ଯ୍ୟନ୍ତ ଭଡ଼ାଘରେ କୋଚିଂ ସେଣ୍ଟର ପରିଚାଳିତ ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.