IAS ଅଧିକାରୀଙ୍କୁ କେବଳ ଜଣେ ବ୍ୟକ୍ତି ଚାକିରିରୁ ବହିଷ୍କାର କରିପାରିବେ: PM/ CMଙ୍କର କ’ଣ ରହିଛି କ୍ଷମତା, ଜାଣନ୍ତୁ ଭାରତୀୟ ସିଭିଲ୍ ସେବା ନିୟମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଏକ ସମ୍ମାନଜନକ ଓ ପ୍ରଭାବଶାଳୀ ପଦ । ତେବେ ଆଇଏଏସ ଅଧିକାରୀ କେନ୍ଦ୍ର ସରକାରଙ୍କ ଦ୍ୱାର ଚୟନ ହେବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ କାର୍ଯ୍ୟ କରିଥାନ୍ତି । ଆଇଏଏସ ଅଧିକାରୀଙ୍କ ସସପେଣ୍ଡ, ବହିଷ୍କାର ନେଇ ଭାରତୀୟ ସମ୍ବିଧାନରେ କିଛି ନିୟମ ରହିଛି । କେବଳ ଦେଶର ରାଷ୍ଟ୍ରପତି ହିଁ ଜଣେ ଆଇଏଏସ୍ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିପାରିବ ବେଲି ଧାରା ୩୧୧(୧)ରେ ନିୟମ ରହିଛି ।
ଯଦି ରାଜ୍ୟ ସ୍ତରରେ କାର୍ଯ୍ୟ କରୁଥିବା ଜଣେ ଅଧିକାରୀଙ୍କ ଉପରେ କୌଣସି ଗୁରୁତର ଅଭିଯେଳଗ ଆସେ, ତେବେ ସଂପୃକ୍ତ ରାଜ୍ୟ ସରକାର ଉକ୍ତ ଅଧିକାରୀଙ୍କ ବହିଷ୍କାର ନେଇ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରିପାରିବେ । ଏହି ସୁପାରିଶକୁ ମଞ୍ଜୁରୀ ମିଳିବା ପରେ ଉକ୍ତ ଅଧିକାରୀ ପଦରୁ ବିଦା ହୋଇଥାନ୍ତି । ଏ କ୍ଷେତ୍ରରେ ମନ୍ତ୍ରୀ, ସିଭିସି ଓ ୟୁପିଏସସିର ମତାମତ ନେଇ ଯାଞ୍ଚ ପ୍ରକ୍ରିୟା ଚାଲିଥାଏ । ରାଷ୍ଟ୍ରପତି ଏହି ସୁପାରିଶକୁ ଗ୍ରହଣ କରିବା ପରେ ଅଧିକାରୀଙ୍କୁ ପଦରୁ ବହିଷ୍କାର କରାଯାଇଥାଏ ।
ତେବେ ଆଇଏଏସ ଅଧିକାରୀଙ୍କୁ ସସପେଣ୍ଡ କରିବାର ଅଧିକାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରହିଥାଏ । ଆଇଏଏସଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥାନ୍ତି, ତେଣୁ ସେମାନେ ଗେଜେଟେଡ ଅଫିସର ହୋଇଥିବାରୁ ତାଙ୍କୁ କେହି ବହିଷ୍କାର କରିପାରିବେ ନାହିଁ । ଏପରିକି ଜଣେ ଆଇଏଏସ / ଆଇପିଏସ୍ ଅଧିକାରୀଙ୍କୁ ଗୋଟିଏ ସପ୍ତାହରୁ ଅଧିକ ସମୟ ପାଇଁ ସସପେଣ୍ଡ କରାଯାଇ ପାରିବ ନାହିଁ ବୋଲି ଗତ ୨୦୧୫ରେ ସର୍ବଭାରତୀୟ ସିଭିଲ ସେବା (ଅନୁଶାସନ ଓ ଅପିଲ) ନିୟମରେ ସଂଶୋଧନ କରାଯାଇଥିଲା । ଯଦି ରାଜ୍ୟ ସରକାର କୌଣସି ଆଇଏଏସ ଅଧିକାରୀଙ୍କୁ ନିଲମ୍ବନ କରନ୍ତି, ତେବେ ୪୮ ଘଣ୍ଟା ମଧ୍ୟରେ ଏହାର ସୂଚନା କେନ୍ଦ୍ର ସରକାରଙ୍କୁ ଦେବା ବାଧ୍ୟତାମୂଳକ ନେଇ ନିୟମ ରହିଥିଲା । ମାତ୍ର ଅନେକ ସମୟରେ ସର୍ବଭାରତୀୟ ସିଭିଲ ସେବାକୁ ନେଇ କିଛି ନିୟମ ପରିବର୍ତ୍ତିତ ହୋଇଥାଏ । ଦେଶର ପ୍ରଧାନମନ୍ତ୍ରୀ ଆଇଏଏସ ଅଧିକାରୀଙ୍କୁ ସସପେଣ୍ଡ କରିପାରିବେ, ମାତ୍ର ବହିଷ୍କାର ପାଇଁ କିଛି ପ୍ରକ୍ରିୟା ଦେଇ ଯିବାକୁ ପଡ଼ିଥାଏ ।