ନୂଆଦିଲ୍ଲୀ: ଛତିଶଗଡ଼ରେ ବୋରୱେଲରେ କୁନି ପୁଅ ରାହୁଲ ଖସିପଡ଼ିବା ଘଟଣାରେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି ବୋଲି କହିଛନ୍ତି ସ୍ଥାନୀୟ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ କହିବା ମୁତାବକ, ‘କାଲି ରାତିରୁ ରାହୁଲ ଖାଦ୍ୟ ଗ୍ରହଣ କରି ନାହିଁ । ରାହୁଲ ରେସପଣ୍ଡ କରୁଛି ଓ ଆଖି ପତା ହଲାଉଛି । କଠିନ ପଥର ଆସ୍ତରଣ ପାଇଁ ସୁଡଙ୍ଗରେ ସମସ୍ୟା ହେଉଛି ।’
ତେବେ ୧୦ ବର୍ଷର ପିଲା ରାହୁଲ ପାଇଁ ମଧ୍ୟ ସମସ୍ଥେ ଭଗବାନଙ୍କୁ ଡାକୁଛନ୍ତି । କାଲି ସକାଳୁ ରାହୁଲ କଦଳି ଖାଇଥିବା ବେଳେ ଆଉ ତା ପରଠୁ କୌଣସି ଖାଦ୍ୟ ଆଉ ଛୁଉଁନଥିବା ଜିଲ୍ଲାପାଳ କହିଛନ୍ତି । ପୂର୍ବରୁ ଯାହା କିଛି ବି ହଲଚଲ ହେଉଥିଲା ତାହା ବି ଧିରେ ଧିରେ କମି ଆସିଲାଣି । ତେଣୁ ଏନ୍ଡିଆରଏଫ୍, ଏସ୍ଡିଆରଏଫ୍, ରୋବୋଟିକ୍ ଟିମ୍, ସେନା, ଜିଲ୍ଲା ପ୍ରଶାସନିକ ଅଧିକାରୀ ରେସ୍କ୍ୟୁ ଅପରେସନ୍ସକୁ ଆହୁରି ଜୋରଦାର କରିଛନ୍ତି ।
ଜାଞ୍ଜଗିର-ଚାମ୍ପା ଜିଲ୍ଲାପାଳଙ୍କ କହିବା କଥା, ରାହୁଲ ପାଖରେ ଜଳସ୍ତର ଯେମିତି ହ୍ରାସ ପାଇବ, ସେଥିପାଇଁ ଫିରିଡ୍ ଗାଁ ସମେତ ଆଖପାଖରେ ଥିବା ବୋରୱେଲ ଗୁଡ଼ିକୁ ଖୋଲି ଦିଆଯାଇଛି । ଅନ୍ୟ ପଟେ କେବଳ ଖାଦ୍ୟ ନୁହେଁ, ପାଇପ୍ ଜରିଆରେ ଅମ୍ଲଯାନ ପଠାଯାଉଛି । ତାସହ ୨୪ ଘଣ୍ଟା ସିସିଟିଭି ଜରିଆରେ ମନିଟରିଂ କରାଯାଉଛି । ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁର ୧୦ ବର୍ଷର ପିଲା ରାହୁଲ ସାହୁ ଗତ ଶୁକ୍ରବାର ଅପରାହ୍ନ ୪ଟାରେ ଖେଳୁ ଖେଳୁ ଖୋଲାଥିବା ବୋରୱେଲ ଗାତରେ ଗଳିପଡ଼ିଥିଲା । ଇତିମଧ୍ୟରେ ୭୨ ଘଣ୍ଟା ବିତିଯାଇଥିବା ବେଳେ କେତେ ଶୀଘ୍ର ରାହୁଲ ଉଦ୍ଧାର ହେବ, ତା ଉପରେ ସମସ୍ତଙ୍କ ନଜର ।