fbpx

ଇମରାନ୍ ଖାନ୍ ଓ ପତ୍ନୀ ବୁଶରାଙ୍କ ବିବାହ ଆଇନ ବିରୁଦ୍ଧ, କୋର୍ଟ ଶୁଣାଇଲେ ଏତିକି ବର୍ଷ ସଜା

ଇସଲାମବାଦ:ପାକିସ୍ତାନରେ ଫେବୃୟାରୀ ୮ରେ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ଇମରାନ୍ ଖାନ୍‌ଙ୍କୁ ପୁଣି ଏକ ବଡ ଝଟକା ଲାଗିଛି । ପାକିସ୍ତାନ କୋର୍ଟ ଇମରାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କ ବିବାହକୁ ଆଇନ ବିରୁଦ୍ଧ କହି ଉଭୟଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ବିବାଦ ଘେରରେ ରହିଥିବା ପୂର୍ବ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଚଳିତ ସପ୍ତାହରେ ଏହା ତୃତୀୟ ପ୍ରତିକୂଳ ନିଷ୍ପତ୍ତି ।
ଇମରାନ ଖାନ୍ ଓ ତାଙ୍କ ପତ୍ନୀ ବୁଶରା ଖାନ୍‌ଙ୍କୁ ଶନିବାର ପାକିସ୍ତାନର ଏକ କୋର୍ଟ ୭ ବର୍ଷର ଜେଲ୍ ଦଣ୍ଡ ଶୁଣାଇଛନ୍ତି ଓ ଜୋରିମାନା ବି ଲଗାଇଛନ୍ତି । କାରଣ ୨୦୧୮ରେ ହୋଇଥିବା ତାଙ୍କର ବିବାହ ଆଇନର ଉଲଙ୍ଘନ ଥିଲା । ପୂର୍ବରୁ ଜେଲ୍‌ରେ ବନ୍ଦ ଥିବା ୭୧ ବର୍ଷୀୟ ଖାନ୍ ଙ୍କୁ ଅତୀତରେ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରିବା ମାମଲାରେ ୧୦ ବର୍ଷ ଓ ତାଙ୍କ ପତ୍ନୀଙ୍କ ସହ ମିଶି ଅବୈଧ ରୂପରେ ରାଜ୍ୟର ଉପହାର ବିକିବା ଅଭିଯୋଗରେ ୧୪ ବର୍ଷ ଜେଲଦଣ୍ଡ ଶୁଣାଯାଇଛି ।

ପତି ପତ୍ନୀଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଯାଇଛି । ବୁଶରାଙ୍କ ଉପରେ ତାଙ୍କ ପୂର୍ବ ପତିଙ୍କୁ ତଲାକ ଦେବା ଓ ଖାନ୍‌ଙ୍କୁ ବିବାହ କରିବା ପରେ ଇସଲାମ ଦ୍ୱାରା ନିର୍ଦ୍ଧାରିତ ପ୍ରତୀକ୍ଷା ଅବଧି ପୁରଣ ନ କରିବା ଅଭିଯୋଗ ଲଗାଯାଇଛି । ଏବେ ଇମରାନ ଓ ବୁଶରା ବିବି ଉଭୟ ଅଲଗା ଅଲଗା ଜେଲ୍‌ରେ ଅଛନ୍ତି ।

Get real time updates directly on you device, subscribe now.