ପାକିସ୍ତାନର କଟା ଘା’ରେ ଲୁଣ ମାରିଛି ଟିମ୍ ଇଣ୍ଡିଆ, ସାମାନ୍ୟ Hand Shake ପାଇଁ ହାଟ ବସେଇଲାଣି ପାକିସ୍ତାନ
ମ୍ୟାଚ ହାରିବା ପରେ ବିଳିବିଳଉଛି ପାକିସ୍ତାନ । ଛୋଟ କଥାକୁ ବଡ଼ ଆକାର ଦେବା ଲାଗି ପ୍ରାଣପଣେ ଲାଗିପଡ଼ିଛି ।

ଦୁବାଇ: ଖେଳରେ ବିପକ୍ଷ ଟିମ୍ ସହିତ ହାତ ମିଳାଇବାର କୌଣସି ବାଧ୍ୟତାମୂଳକ ନିୟମ ନାହିଁ । ଭାରତ-ପାକିସ୍ତାନ ମ୍ୟାଚ ପରେ ହ୍ୟାଣ୍ଡସେକକୁ ନେଇ ଉଠିଥିବା ବିବାଦ ସମ୍ପର୍କରେ ମୁହଁ ଖୋଲିଛନ୍ତି ବିସିସିଆଇର ବରିଷ୍ଠ ସଦସ୍ୟ ।
ସେ କହିଛନ୍ତି କୌଣସି ଖେଳରେ ୨ ଟିମ୍ ମଧ୍ୟରେ ପ୍ରତିଯୋଗିତା ହେବାକୁ ଥିବାବେଳେ ଉଭୟ ପକ୍ଷ ଖେଳାଳି ପରସ୍ପର ସହିତ ହାତ ମିଳାଇବାର କୌଣସି ନିର୍ଦ୍ଧିଷ୍ଟ ନିୟମ ନାହିଁ ।
ରବିବାର ମ୍ୟାଚରେ ପାକିସ୍ତାନ ଖେଳାଳିଙ୍କ ସହିତ ଯଦି ଭାରତୀୟ ଖେଳାଳି କିମ୍ବା କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ହାତ ମିଳାଇ ନାହାନ୍ତି ତେବେ ସେଥିରେ କୌଣସି ଅସୁବିଧା ନାହିଁ । ଭାରତୀୟ ଟିମ ଯାହା କରିଛି ସେଥିରେ କୌଣସି ଭୁଲ୍ ନାହିଁ ।
ହ୍ୟାଣ୍ଡସେକକୁ ନେଇ ପାକିସ୍ତାନ କ୍ୟାପ୍ଟେନ୍ ସଲମାନ ଅଲି ଆଘା ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ଅଭିଯୋଗ ପରେ ବିସିସିଆଇ ପକ୍ଷରୁ ଏହାର ଉତ୍ତର ରଖାଯାଇଛି । ଯେଉଁଥିରେ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଭରାତୀୟ ଟିମ୍ ଯାହା କରିଛି ତାହା ଭୁଲନୁହେଁ ଏବଂ ଦସ୍ତମର୍ଦନକୁ ନେଇ ରୁଲ ବୁକରେ ସେମିତି କିଛି ନିୟମ ନାହିଁ ।
ମ୍ୟାଚ ହାରିବା ପରେ ପାକିସ୍ତାନ ଏହାର ବିଶ୍ଳେଷଣ କରିବା ବଦଳରେ ହାଣ୍ଡସେକକୁ ନେଇ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ସୂର୍ଯ୍ୟକୁମାର ଓ ଟିମର ବ୍ୟବହାର ପାକିସ୍ତାନକୁ ପସନ୍ଦ ଆସି ନାହିଁ । ଯାହାଫଳରେ ପାକିସ୍ତାନ ବାଉଳେଇ ହେଉଥିବା ଦେଖିବାକୁ ମିଳିଛି ।