ଇମ୍ରାନଙ୍କ ଲାଗି ଲଢ଼ୁଛନ୍ତି ସ୍ତ୍ରୀ ବିଶରା ବିବି, ଇସଲାମାବାଦ ଘେରାଉ ପିଟିଆଇ ସମର୍ଥକଙ୍କ ଚାଲ

ଇସଲାମାବାଦ୍: ଇସଲାମାବାଦରେ ଲକଡାଉନ । ରାସ୍ତା ପାଙ୍କାପଡ଼ିଛି, ଗାଡ଼ି,ମଟର ପ୍ରାୟତଃ ବନ୍ଦ । ପ୍ରତିଟି ଗଳି କନ୍ଧିରେ ପୋଲିସ ଧାଡ଼ିବାନ୍ଧି ଛିଡ଼ା ରହିଛି । ସେପଟେ ରାଜଧାନୀ ଇସଲାମାବାଦ୍ ମୁହାଁ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସମର୍ଥକ । ଖାଲି ଗାଡ଼ିମଟର କାହିଁକି ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍,ହ୍ୱାର୍ଟ୍ସଆପ୍, କଲିଂ ଏବଂ ମେସେଜିଂ ସେବା ସବୁ ଠପ୍ ହୋଇ ପଡ଼ିଛି । ନାରାବାଜିରେ କମ୍ପୁଛି ସ୍ଥାନୀୟ ଅଞ୍ଚଳ । ତେବେ ଏତେମାତ୍ରାରେ ଲୋକ ଏକକାଳୀନ ଆନେ୍ଦାଳନ କରିବା ପଛରେ ରହିଛି ଇମ୍ରାନ୍ ଖାନ୍ଙ୍କ ହାତ । ଜେଲରେ ସଜା କାଟୁଥିବା ଇମ୍ରାନଙ୍କର ଏହା ହେଉଛି କୁଆଡେ ଶେଷ ବାଜି । ଆଉ ଯାହାର ନେତୃତ୍ୱ ନେଇଛନ୍ତି ସ୍ତ୍ରୀ ବିଶରା ବିବି । ହଜାର ହଜାର ଲୋକଙ୍କ ଭିତରେ ବିଶରା ପ୍ଲାକାର୍ଡ ଧରି ମାଡିଆସୁଛନ୍ତି ସମର୍ଥକଙ୍କ ସହିତ । ଶୁକ୍ରବାର ଆରମ୍ଭ ହୋଇଥିବା ଏହି ରାଲିର ମୁଖ୍ୟ ଦାବି ହେଉଛି ଇମ୍ରାନ୍ ଖାନଙ୍କୁ ଜେଲରୁ ବାହାର କରିବା । ଗୋଟିଏ ବର୍ଷରୁ ଊଦ୍ଧ୍ୱର୍ ଦିନ ହେବ ଇମ୍ରାନ୍ ଏକାଧିକ ମାମଲାରେ ଜେଲରେ ସଜା କାଟୁଛନ୍ତି ।

ତେବେ ଇମ୍ରାନଙ୍କ ମତରେ ତାଙ୍କୁ ଦିଆଯାଇଥିବା ଦଣ୍ଡ ରାଜନୈତିକ ଉଦେ୍ଦଶ୍ୟ ରଖି ଦିଆଯାଇଛି । ପାକିସ୍ତାନ ତେହରିଖ -ଇ- ଇନ୍ସାଫ୍ (ପିଟିଆଇ) ନେତା ଏବେ ଇମ୍ରାନଙ୍କ ନିଦେ୍ର୍ଦଶରେ ରାସ୍ତାକୁ ଓହ୍ଲାଇଛନ୍ତି । ପିଟିଆଇ ପକ୍ଷରୁ କରାଯାଉଥିବା ପ୍ରତିବାଦ ସରକାର, ମିଲିଟାରୀ ଏବଂ ଦେଶର ନ୍ୟାୟିକ ବ୍ୟବସ୍ଥା ବିରୋଧରେ । ଇମ୍ରାନଙ୍କ ବିପକ୍ଷରେ ଷଡ଼ଯନ୍ତ୍ର କରାଯାଇ ତାଙ୍କୁ ଜେଲରେ ବନ୍ଦ କରାଯାଇଥିବା କହୁଛି ପିଟିଆଇ । ଇମ୍ରାନଙ୍କ ଆହ୍ୱାନରେ ଦେଶର ପ୍ରତିଟି ସ୍ଥାନରେ ଏହି ଧାରଣା ଜାରି ରହିଛି । ଯେପର୍ଯ୍ୟନ୍ତ ଇମ୍ରାନ୍ ସେମାନଙ୍କ ସହିତ ଅଛନ୍ତି ସେ ପର୍ଯ୍ୟନ୍ତ ସରକାର ବିରୋଧୀ ରାଲି ବନ୍ଦ ହେବ ନାହିଁ ବୋଲି କହିଛନ୍ତି ବିଶରା । ପ୍ରତିବାଦକାରୀଙ୍କୁ ଅଟକାଇବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଟିଅର୍ ଗ୍ୟାସ ଛଡ଼ାଯାଉଛି । ପୋଲିସ ଉପରକୁ ପଥରମାଡ଼ କରିବା ନେଇ କେତେଜଣ ପିଟିଆଇ କର୍ମୀଙ୍କୁ ଗିରଫ କରିସାରିଛି ପୋଲିସ । ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନିଦେ୍ର୍ଦଶ କ୍ରମେ ଇସଲାମାବାଦରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।