ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ୱିକେଟ କିପର ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ୱ ବଜାୟ ରଖିବାକୁ ଯାଉଛନ୍ତି । ଆଇପିଏଲର ଅଧା ରହିଥିବା ସିଜିନର ଆରମ୍ଭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟ ଏହା ସ୍ପଷ୍ଟ କରିଛି । ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ପନ୍ତଙ୍କୁ ନେତୃତ୍ୱ ନେବାର ସୁଯୋଗ ମିଳିଥିଲା । ପନ୍ତଙ୍କ ନେତୃତ୍ୱରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ ପଏଣ୍ଟ ଟେବଲ ଶୀର୍ଷରେ ରହିଛି ।
ଭାରତ-ଇଂଲଣ୍ଡ ସିରିଜରେ ଶ୍ରେୟସ ଆୟରଙ୍କ କାନ୍ଧରେ ଆଘାତ ଲାଗିବା ପରେ ଅସ୍ତ୍ରୋପଚାର ପାଇଁ ସେ ବାଦ ପଡିଥିଲେ । ଏହାପରେ ପନ୍ତ ନେତୃତ୍ୱ ନେଇଥିଲେ । ଆଇପିଏଲର ୧୪ ତମ ସଂସ୍କରଣର ଦ୍ୱିତୀୟାର୍ଦ୍ଧ ପାଇଁ ଆୟର ଫେରିଥିବା ବେଳେ ତାଙ୍କୁ ପୁନର୍ବାର ଅଧିନାୟକତ୍ୱ ପ୍ରଦାନ କରାଯିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ଡିସିର ମ୍ୟାନେଜମେଣ୍ଟ କିନ୍ତୁ ପନ୍ତ ଅଧିନାୟକ ରହିବା ସ୍ପଷ୍ଟ କରିଛି । ଦଳର ଦୁଇ ପ୍ରମୋଟର କିରଣ କୁମାର ଗ୍ରନ୍ଥି ଓ ପାର୍ଥ ଜିନ୍ଦଲ ପନ୍ତଙ୍କ ନାମରେ ମୋହର ମାରିଛନ୍ତି । ପନ୍ତଙ୍କ ନେତୃତ୍ୱରେ ପ୍ରଥମାର୍ଦ୍ଧରେ ଦଳ ୬ ମ୍ୟାଚରୁ ୪ ବିଜୟ ସହ ପଏଣ୍ଟ ଟେବଲ ଶୀର୍ଷରେ ରହିଛି । ସେପ୍ଟେମ୍ବର ୨୨ ତାରିଖରେ ଦଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ନିଜର ପରବର୍ତ୍ତୀ ମ୍ୟାଚ ଖେଳିବ ।