fbpx

ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ୨୪ଟି ବିଲ୍‌ ଆଣିବେ କେନ୍ଦ୍ର ସରକାର, ୧୨ ଅଗଷ୍ଟ ଯାଏଁ ଚାଲିବ ଅଧିବେଶନ

ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲୁ ରହିବ । ଚଳିତ ଅଧିବେଶନରେ ୨୪ଟି ବିଲ୍‌ ଆଣିବେ କେନ୍ଦ୍ର ସରକାର । ଅଧିବେଶନ ସମୟରେ କ୍ୟାଣ୍ଟନମେଣ୍ଟ ବିଲ୍‌, ମଲ୍ଟି ଷ୍ଟେଟ୍‌ କୋପରେଟିଭ୍‌ ସୋସାଇଟି ବିଲ୍‌, କଫି ପ୍ରୋତ୍ସାହନ ଓ ବିକାଶ ବିଲ୍‌ ପରି କେତେକ ବିଲ୍‌ ଆସିବାର ସମ୍ଭାବନା ରହିଛି । ଏହାସହ ପୂର୍ବରୁ ଉଭୟ ଗୃହରେ ପଡ଼ି ରହିଥିବା ୮ଟି ବିଲ୍‌ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । କିଛି ଦିନ ତଳେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଅଗ୍ନିପଥ ଯୋଜନା ଏଥର ସଂସଦରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସୂଚନା ମିଳିଛି । ସେହିପରି ଦରଦାମ୍‌ ବୃଦ୍ଧି ଓ ବେକାରୀ ସମସ୍ୟା ଇତ୍ୟାଦି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପକ୍ଷରେ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରେସ ଓ ଡିଏମ୍‌କେ ପ୍ରମୁଖ ଯୋଗ ଦେଇଥିବାବେଳେ ଟିଏମ୍‌ସି, ଏନ୍‌ସିି, ଏସ୍‌ପି, ବିଏସ୍‌ପି, ବିଜେଡ଼ି, ସିିଏମ୍‌, ଜେଏମ୍‌ଏମ୍‌, ଟିଡିପି ନ୍ୟାସନାଲ କନ୍‌ଫରେନ୍ସ ଓ ଅକାଳୀଦଳ ପ୍ରମୁଖ ଯୋଗ ଦେଇନଥିଲେ । ବୈଠକରେ ବିଜେପି ପକ୍ଷରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଅର୍ଜ୍ଜୁନ ରାମମେଘୱାଲ, ଅନୁପ୍ରିୟା ପଟେଲ୍‌ ପ୍ରମୁଖ ସାମିଲ ରହିଥିଲେ ।

ବୈଠକ ପରେ ବାଚସ୍ପତି ଓମ୍‌ ବିର୍ଲା କହିଥିଲେ ଯେ, ଗୃହ ସୁରୁଖୁରରେ ଚଳାଇବା ପାଇଁ ବୈଠକରେ ସହମତି ହୋଇଛି । ତେବେ କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ଯେ, ବିରୋଧୀ ସଂସଦରେ ବିଭିନ୍ନ ପ୍ରସଙ୍ଗ ଉଠାଇବେ । ତେଣୁ ପ୍ରସଙ୍ଗ ଉଠାଇବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯିବା ଆବଶ୍ୟକ । ସେହିପରି ଅସଂସଦୀୟ ଶବ୍ଦକୁ ନେଇ ମଧ୍ୟ ଗୃହରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ଅଧିବେଶନର ପ୍ରଥମ ଦିନରେ ସାଂସଦମାନେ ସଂସଦର ଭୋଟ୍‌ କେନ୍ଦ୍ରରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଦେବେ ।

Get real time updates directly on you device, subscribe now.