fbpx

ଟ୍ରାକ୍ଟର୍‌ରେ ପଡୁଛି ପିଡିଏସ୍‌ କିରାସିନି ! ହିତାଧିକାରୀଙ୍କୁ ପାଖରେ ପହଁଞ୍ଚୁନି, ଯୋଗାଣ ଅଧିକାରୀ ଓ ଡିଲରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ହଡ଼ପ

ସଇଁନ୍ତଲା, (ଭାସ୍କର ନ୍ୟୁଜ୍‌): ଖାଉଟି ପାଇଁ ଆସୁଥିବା ପିଡ଼ିଏସ ସାମଗ୍ରୀ ଠିକ ଭାବେ ଲୋକଙ୍କ ପାଖକୁ ପହଞ୍ଚି ପାରୁନାହିଁ । ଯୋଗାଣ ସହାୟକମାନେ ପିଡିଏସ୍‌ ସାମଗ୍ରୀକୁ ଖାଉଟିଙ୍କୁ ଦୁଇ ମାସରେ ଥରେ ଦେଉଛନ୍ତି । ଯାହା ପହଞ୍ଚୁଛି ତାହା ମଧ୍ୟ ହିତାଧିକାରୀ ସୁଲଭ ମୂଲ୍ୟରେ ପାଉ ନାହିଁ । ଚାଉଳ, ଗହମ ହେରଫେର ଉପରେ ସମସ୍ତଙ୍କ ନଜର ଥିବା ବେଳେ ପିଡିଏସ୍‌ କିରୋସିନି ସମ୍ପର୍କରେ କେହିଁ ଜାଣି ପାରୁ ନାହାଁନ୍ତି । ଫଳରେ ଡିଲର ମାଲେମାଲ ହେଉଥିବା ଅଭିଯୋଗ ହୋଇଛି । କିଛି ଅସାଧୁ ଯୋଗାଣ ବିଭାଗ ଅଧିକାରୀ ଏବଂ ଡିଲରଙ୍କ ମଧୁଚନ୍ଦ୍ରିକାରେ ଲକ୍ଷଲକ୍ଷ ଲିଟର କିରୋସିନି ହଡ଼ପ ହେଉଛି । ହେଲେ ଯୋଗାଣ ବିଭାଗ ଜାଣିଶୁଣି ଚୁପ ରହୁଥିବା ଆଲୋଚନା ହେଉଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ୨୨ ଟି ପଞ୍ଚାୟତରେ ରାସନ କାର୍ଡ ଧାରୀଙ୍କ ସଂଖ୍ୟା ୩୨୫୮୬ ପାଇଁ ୪୪ ହଜାର ଲିଟର କିରୋସିନି ଆସୁଛି । କିନ୍ତୁ ସେସବୁ ଯାଉଛି କୁଆଡେ ? ଜାନୁଆରୀ ଓ ଫେବ୍ରୁଆରୀ ମାସର କିରୋସିନି ହିତାଧିକାରୀଙ୍କୁନ ଦେଇ ଟ୍ରାକ୍ଟର ମାଲିକମାନଙ୍କୁ ବିକ୍ରି କରିଥିବା ଜଣାପଡ଼ିଛି । ଲିଟର ପିଛା ୬୨.୭୩ ରହିଛି କିନ୍ତୁ ଡିଲରମାନେ ୭୦ ଟଙ୍କା ମଧ୍ୟ ଲିଟର ପିଛା ବିକ୍ରି କରୁଛନ୍ତି । ଯାହାର ଅଭିଯୋଗ ମଧ୍ୟ ଯୋଗାଣ ବିଭାଗ ଠାରେ ହୋଇଛି ଏବଂ ତାହା ସ୍ୱୀକାର ମଧ୍ୟ କରିଛନ୍ତି ଯୋଗାଣ ଅଧିକାରୀମାନେ । ଘୁନସର ଗାଁର କମଳିନୀ ଏସ୍‌ଏଚ୍‌ଜି ଦୀର୍ଘ ମାସ ହେବ ଲୋକଙ୍କୁ କିରାସିନି ଦେଇନ ଥିବା ବେଳେ ଗ୍ରାମବାସୀମାନେ ଏନେଇ ଟିଟିଲାଗଡ଼ ଯୋଗାଣ ବିଭାଗ ଓ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଉପଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ସଇଁନ୍ତଲା ଯୋଗାଣ ଅଧିକାରୀ ପ୍ରଭାତ ସେଠଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ରହିଛି ।

ଅନ୍ୟପଟେ କିରାସିନି ଅଧିକ ଦର ହେଉଥିବା ବେଳେ ଡିଲରମାନେ ତେଲ ଉଠାଇବା ପାଇଁ ଇଚ୍ଛା ପ୍ରକଟ କରୁନାହାନ୍ତି ବୋଲି କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପିଡିଏସ୍‌ ସାମଗ୍ରୀକୁ ଏସ୍‌ଏଜ୍‌ଜିକୁ ନଦେଇ ପଞ୍ଚାୟତକୁ ହସ୍ତାନ୍ତର କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Get real time updates directly on you device, subscribe now.