fbpx

ଶ୍ରୀଲଙ୍କା ପରେ ଏବେ ପାକିସ୍ତାନ ପାଳି: ଖୁବଶୀଘ୍ର ପେଟ୍ରୋଲ ଲିଟର ୨୩୩ ଓ ଡିଜେଲ ଲିଟର ୨୬୩ ଟଙ୍କାରେ ପହଞ୍ଚିବ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଦେବାଳିଆ ଅବସ୍ଥା ବିଷୟରେ ସମସ୍ତେ ଅବଗତ । ଏବେ ଖୁବଶୀଘ୍ର ପାକିସ୍ତାନରେ ଏହି ବମ୍ ଫୁଟିବାକୁ ଯାଉଛି । ପାକିସ୍ତାନରେ ରାଜନୈତିକ ସଙ୍କଟ ଧୀରେଧୀରେ ନରମ ହେବା ପରେ ଏବେ ମହଙ୍ଗା ମାଡ଼ ଆରମ୍ଭ ହେବାକୁ ଯାଉଛି । ଦିନକୁ ଦିନ ମହଙ୍ଗା ବଢ଼ିବାରେ ଲାଗିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖରେ ଠିକ୍ ସମୟରେ ପହଞ୍ଚି ପାରୁନାହିଁ ।

ପାକିସ୍ତାନରେ ତେଲ ଓ ଗ୍ୟାସର ମୂଲ୍ୟକୁ ନିୟନ୍ତ୍ରଣ କରୁଥିବା ସଂସ୍ଥା ଅଏଲ ଆଣ୍ଡ ଗ୍ୟାସ୍ ରେଗୁଲେଟୋରୀ ଅଥରିଟୀ (ଓଜିଆରଏ) ପକ୍ଷରୁ ପେଟ୍ରୋଲ-ଡିଜେଲ ଦାମ୍ ବୃଦ୍ଧି ନେଇ ସୁପାରିଶ କରାଯାଇଛି । ଯଦି ଏହି ପ୍ରସ୍ତାବ ପାରିତ ହୁଏ ତେବେ ଗୋଟିଏ ଝଟକାରେ ପାକିସ୍ତାନରେ ପେଟ୍ରୋଲ-ଡିଜେଲ ଦର ଦୁଇଗୁଣା ହୋଇଯିବ । ପ୍ରସ୍ତାବ ମୁତାବକ, ପେଟ୍ରୋଲ ଲିଟର ୮୩.୫ ଟଙ୍କା ଓ ଡିଜେଲ ଲିଟର ୧୧୯ ଟଙ୍କା ମହଙ୍ଗା ହେବା ଉଚିତ୍ । ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲ ୧୪୯.୮୬ ଟଙ୍କା ଓ ଡିଜେଲ ୧୪୪.୧୫ ଟଙ୍କାରେ ବିକ୍ରି ହୋଇଛି । ଏହି ମୂଲ୍ୟ ଗତ ୧ ତାରିଖରୁ ଲାଗୁ ହୋଇଛି ।

ଯଦି ଓଜିଆରଏର ଏହି ସୁପାରିଶ କାର୍ଯ୍ୟକାରୀ ହୁଏ, ତେବେ ପାକିସ୍ତାନରେ ପେଟ୍ରୋଲ ଲିଟର ୨୩୩ ଓ ଡିଜେଲ ଲିଟର ୨୬୩ ଟଙ୍କାରେ ପହଞ୍ଚିଯିବ । ବର୍ତ୍ତମାନ ପେଟ୍ରୋଲ ଓ ଡିଜଲ ଉପରୁ ଜିଏସଟି ୧୭ ପ୍ରତିଶତ ଆଦାୟ ହେଉଥିବା ବେଳେ ଏହା ୭୦ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ତେବେ ଓଜିଆରଏର ରିପୋର୍ଟ ଉପରେ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ସହ ପରାମର୍ଶ କରି ଅର୍ଥ ଅନ୍ତ୍ରଣାଳୟ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ ।

Get real time updates directly on you device, subscribe now.