ୱାଶିଂଟନ,୩୦ା୧: ବୁଧବାର ଆମେରିକାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୱାଶିଂଟନ ନିକଟବର୍ତ୍ତୀ ରୋନାଲ୍ଡ ରିଗାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏକ ଯାତ୍ରୀବାହୀ ବିମାନ ଏକ ସେନା ହେଲିକପ୍ଟର ସହିତ ଧକ୍କା ହୋଇଥିଲା। କୁହାଯାଉଛି ଯେ, ଏହି ଦୁର୍ଘଟଣାରେ କେହି ବଞ୍ଚି ନାହାନ୍ତି। ସେହି ସମୟରେ ସେନା ହେଲିକପ୍ଟରରେ ଥିବା ସମସ୍ତ ତିନି ସୈନିକଙ୍କ ମୃତ୍ୟୁ ମଧ୍ୟ ନିଶ୍ଚିତ ହୋଇଛି। ୱାଶିଂଟନ୍ ଡିସି ଅଧିକାରୀମାନେ କହିଛନ୍ତି ଯେ, ଏହି ସମୟରେ ସେ ବିଶ୍ୱାସ କରୁନାହାନ୍ତି ଯେ, କେହି ବଞ୍ଚିଥିବେ।
ୱାଶିଂଟନ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଗୁରୁବାର ସକାଳେ ସମୁଦ୍ରରୁ ୨୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୱାଶିଂଟନ୍ ଡିସିର ଅଧିକାରୀ ଜନ୍ ଏ. ଡୋନେଲି ସିନିୟର କହିଛନ୍ତି ଯେ, ବିମାନରୁ ୨୭ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ଗୋଟିଏ ମୃତଦେହ ସେନାର ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଇଛି। ” ଅଧିକାରୀ ଜଣକ କହିଛନ୍ତି “ଦୁର୍ଘଟଣାର ଖବର ପାଇବା ମାତ୍ରେ ବୁଧବାର ରାତିରେ ୩୦୦ରୁ ଅଧିକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତୁଷାରପାତ ଏବଂ ପ୍ରବଳ ପବନରେ କାମ କରିଥିଲେ।
ଡୋନେଲି କହିଛନ୍ତି, ଆମେରିକୀୟ ଏୟାରଲାଇନ୍ସର ବିମାନଟି ୱିଚିଟାରୁ ୬୦ ଜଣ ଯାତ୍ରୀ ଏବଂ ଚାରି ଜଣ କ୍ରୁ ସଦସ୍ୟଙ୍କୁ ନେଇ ଉଡ଼ାଣ ଭରଥିଲା ଏବଂ ସେନା ହେଲିକପ୍ଟରରେ ତିନି ଜଣ ସୈନିକ ଥିଲେ।
ଆମେରିକୀୟ ଏୟାରଲାଇନ୍ସର ସିଇଓ ରବର୍ଟ ଇସୋମ କହିଛନ୍ତି ଯେ, ହେଲିକପ୍ଟରରେ ଥିବା ଏବଂ ମୃତ୍ୟୁବରଣ କରିଥିବା ତିନି ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ପରିବାର ପାଇଁ କମ୍ପାନୀ ଦୁଃଖିତ। ସେ ପରିବାରଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛନ୍ତି ଏବଂ ସେମାନଙ୍କୁ ଏଥିରେ ଯୋଗାଯୋଗ କରିବାକୁ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ କହିନାହାନ୍ତି ।