fbpx

ଏଣିକି ପୋଲିସ ଅଧିକାରୀ ଆଉ ପିନ୍ଧିବେନି କ୍ରସ୍ ବେଲଟ୍, ବାତିଲ୍ ହେଲା ବ୍ରିଟିଶ ଅମଳର ପୋଲିସ ସର୍କୁଲାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୋଲିସ ଅଧିକାରୀଙ୍କ ପୋଷାକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ବ୍ରିଟିଶ ଅମଳରୁ ଚାଲିଆସିଥିବା ସର୍କୁଲାର ଏବେ ପରିବର୍ତ୍ତନ ହେବ । ଏଣିକି ପୋଲିସ ଅଧିକାରୀମାନେ ସେମାନଙ୍କର ଡ୍ରେସ ଉପରେ କ୍ରସ୍ ବେଲ୍ଟ ଓ ଟ୍ୟୁନିକ ପରିଧାନ କରିବେ ନାହିଁ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏସପି, ଡିଆଇଜି, ଅତିରିକ୍ତ ଡିଜି, ଡିଜି ପାହ୍ୟାର ଅଧିକାରୀମାନେ ଦାୟିତ୍ୱ ନେବା ସମୟରେ, ପରେଡ୍ ସମୟରେ ଡ୍ରେସ୍ ଉପରେ ଟ୍ୟୁନିକ ପରିଧାନ ସହ କ୍ରସ୍ ବେଲ୍ଟ ପିନ୍ଧିଥାନ୍ତି । ବ୍ରିଟିଶ ଅମଳରୁ ଚାଲିଆସିଥିବା ଏହି ପ୍ରଥା ଏବେ ଲୋପ ପାଇବ । ନୂଆ ନିୟମ ଅନୁଯାୟୀ, ଏବେ ପରେଡ୍ ସମୟରେ କେବଳ ସୋର୍ଡ ଧରୁଥିବା ଅଫିସରମାନେ କ୍ରସ୍ ବେଲ୍ଟ ପିନ୍ଧିବେ । ଟ୍ୟୁନିକ ପିନ୍ଧିବା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି ।

ପୂର୍ବରୁ ଅଫିସରମାନେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯୋଗ ଦେବା ନିମନ୍ତେ ଉପରିସ୍ଥ ଅଫିସରଙ୍କୁ ସାକ୍ଷାତ କରିବାକୁ ଯିବା ସମୟରେ କ୍ରସ୍ ବେଲ୍ଟ ସହ ଟ୍ୟୁନିକ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଉକ୍ତ ନିୟମରେ କୌଣସି ବ୍ୟତିକ୍ରମ ହେଉଥିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା । ତେବେ ଉକ୍ତ ନିମୟକୁ ଦେଶର କିଛି ରାଜ୍ୟରେ ପରିବର୍ତ୍ତନ କରାଯାଇଥିବା ବେଳେ ଓଡ଼ିଶାରେ ଜାରି ରହିଥିଲା । ଜଣେ ପୂର୍ବତନ ଡିଜି ଚାକିରିରୁ ଅବସର ନେବାର କିଛିଦିନ ପୂର୍ବରୁ କ୍ରସ୍ ବେଲ୍ଟ ଓ ଟ୍ୟୁନିକ ପରିଧାନ ନେଇ ଥିବା ସର୍କୁଲାରକୁ ପରିବର୍ତ୍ତନ ପାଇଁ ଏକ ଫାଇଲ୍ ଗୃହ ବିଭାଗକୁ ପଠାଇଥିଲେ । ଦୀର୍ଘବର୍ଷର ତର୍ଜମା ପରେ ପୁରୁଣା ସର୍କୁଲାରକୁ ବାତିଲ କରାଯାଇ ନୂଆ ସର୍କୁଲାର ଲାଗୁ କରାଯାଇଛି ।

Get real time updates directly on you device, subscribe now.