ୱାୟନାଡରେ ବଡ଼ ରେକର୍ଡ କଲେ ପ୍ରିୟଙ୍କା ଗାନ୍ଧୀ: ୪ ଲକ୍ଷରୁ ଅଧିକ ଭୋଟରେ ଜିତି ଭାଇ ରାହୁଲଙ୍କୁ ବି ଟପିଗଲେ

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ବେଳେ କେରଳର ୱାୟନାଡ ଲୋକସଭା ଆସନର ଉପନିର୍ବାଚନର ଫଳାଫଳ ମଧ୍ୟ ଘୋଷଣା ହୋଇଛି । ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ରାଏବରେଲୀ ଓ ୱାୟନାଡ ଆସନରୁ ରାହୁଲ ବିଜୟୀ ହୋଇଥିବା ବେଳେ ସେ ୱାୟନାଡ ଆସନ ଛାଡ଼ିଥିଲେ । ତେବେ ରାହୁଲଙ୍କ ଇସ୍ତଫା ପରେ ଏହି ଆସନରୁ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା । ବିଜୟ ହାରକୁ ଦେଖିଲେ ଭାଇ ରାହୁଲଙ୍କୁ ପ୍ରିୟଙ୍କା ଟପି ଯାଇଛନ୍ତି ।

ୱାୟନାଡ ଲୋକସଭା ଆସନରୁ ପ୍ରିୟଙ୍କା ୪,୧୦,୯୩୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେ ମୋଟ ୬,୨୨,୩୩୮ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇ ପ୍ରାର୍ଥୀ ସଥ୍ୟାନ ମୋକେରୀ ୨,୧୧,୪୦୭ ଖଣ୍ଡ ଓ ବିଜେପି ପ୍ରାର୍ଥୀ ୧,୦୯,୯୩୯ ଖଣ୍ଡ ଭୋଟ ପାଇଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ୱାୟନାଡ ଆସନରୁ ୬,୪୭,୪୪୫ ଖଣ୍ଡ ଭୋଟ ପାଇଥିଲେ । ରାହୁଲ ଉକ୍ତ ଆସନରୁ ୩,୬୪,୪୨୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଲୋକମାନେ ତାଙ୍କ ଉପରେ ଭରସା ରଖି ତାଙ୍କୁ ବିପୁଳ ଭୋଟରେ ବିଜୟୀ କରାଇଥିବାରୁ ଏହି ଅବସରରେ ପ୍ରିୟଙ୍କା ୱାୟନାଡର ଭୋଟରଙ୍କ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ।