fbpx

ଆଜି ଶ୍ରୀଜୀଉଙ୍କ ସୁସ୍ଥତାର ସମ୍ବାଦ ଗଜପତି ମହାରାଜାଙ୍କୁ ଦେବେ ଦଇତାପତି ସେବାୟତ: ଅଣସର ପ୍ରସାଦ ବି ପାଇବେ ଗଜପତି

ଭୁବନେଶ୍ୱର:୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ଥିଲେ ଚତୁର୍ଦ୍ଧା ମୂର୍ତ୍ତି । ଅଣସର ଘରେ ରହି ଦଇତାପତିଙ୍କ ସେବା ଶୁଶ୍ରୁଷାରେ ଏବେ ସୁସ୍ଥ ହୋଇଛନ୍ତି ପ୍ରଭୁ । ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜୀଉଙ୍କ ସୁସ୍ଥତାର ସମ୍ବାଦ ଦଇତାପତି ସେବାୟତମାନେ ଗଜପତି ମହାରାଜାଙ୍କୁ ପ୍ରଦାନ କରିବେ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଅଣସର ପ୍ରତିବର୍ଷ ଗୁଣ୍ଡିଚା ପୂର୍ବରୁ ୧୫ ଦିନ ପାଇଁ ପାଳିତ ହୁଏ ।

ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉମାନଙ୍କ ରାଜପ୍ରସାଦ ବିଜେ ନୀତି । ଏହା ସହିତ ଦଇତାପତିମାନେ ଗଜପତିଙ୍କୁ ଭେଟି ଅଣସର ପ୍ରସାଦ ପ୍ରଦାନ କରିବେ । ଏହା ସହିତ ରଥଯାତ୍ରା କିପରି ଶୃଙ୍ଖଳିତ ଭାବରେ ସମାପନ ହେବ ସେ ନେଇ ଦଇତାପତିମାନେ ଗଜପତିଙ୍କ ସହ ଆଲୋଚନା କରିବେ । ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି କରାଯାଇଥିବା ବେଳେ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା ।

ଅନ୍ୟପଟେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ବିଜେ ଲାଗି ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ସରିଯିବାକୁ ବସିଲାଣି । ଆଜି ତିନି ରଥରେ ଋଷି ପଟା ବାଡିଆ କାର୍ଯ୍ୟ ସଂପନ୍ନ ହୋଇଛି । ଏହାସହିତ ବେଦୀରେ ପଟା ବାଡିଆ କାର୍ଯ୍ୟ ତିନି ରଥର ମହାରଣା ସେବକ ସଂପନ୍ନ କରିଛନ୍ତି । ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଶେଷ ହେବା ପରେ ଚିତ୍ରକର ସେବକମାନେ ପ୍ରଭାରେ ଖୋଦିତ ରୂପରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିବେ ।

 

Get real time updates directly on you device, subscribe now.