fbpx

ଚୀନ୍ କୁ ଲକ୍ଷେ ମାଙ୍କଡ ବିକି ଅର୍ଥନୀତି ସୁଧାରିବାକୁ ଚେଷ୍ଟା କରୁଥିଲା ଶ୍ରୀଲଙ୍କା, ବାଟ ଓଗାଳିଲେ ପରିବେଶବିଦ୍ ଓ ପଶୁ ପ୍ରେମୀ

ନୂଆଦିଲ୍ଲୀ: ଶ୍ରୀଲଙ୍କାରୁ ଚୀନ୍ ଯାଇଥାନ୍ତେ ଏକ ଲକ୍ଷ ମାଙ୍କଡ । କିନ୍ତୁ ପରିବେଶ ଓ ପଶୁ ପ୍ରେମୀଙ୍କ ବିରୋଧ ପରେ ବିଚରା ନୀରିହ ମାଙ୍କଡମାନେ ରକ୍ଷା ପାଇ ଯାଇଛନ୍ତି । ଏପ୍ରିଲରେ ଶ୍ରୀଲଙ୍କା କୃଷି ମନ୍ତ୍ରୀ ମହିନ୍ଦା ଅମରବୀରା କହିଥିଲେ ଦେଶର ଟୋକ୍ ମକାକ ପ୍ରଜାତିର ମାଙ୍କଡଙ୍କୁ ରପ୍ତାନୀ କରାଯିବା ନେଇ ଚୀନ୍ ସହ ଆଲୋଚନା ଜାରି ରହିଛି । କିନ୍ତୁ ଏହି ଖବର ପରିବେଶବିଦ୍ଙ୍କ ପାଖରେ ପହଞ୍ଚିବା ପରେ ପ୍ରବଳ ବିରୋଧ ପ୍ରଦର୍ଶନ ହୋଇଥିଲା ଏବଂ ମାମଲା କୋର୍ଟରେ ପହଞ୍ଚିଥିଲା । ପରେ ବନ୍ୟଜୀବ ସଂରକ୍ଷଣ ବିଭାଗ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ରହିତାଦେଶ ଲଗାଇ ଦେଇଥିଲେ ।

ଶ୍ରୀଲଙ୍କାରେ ଏହି ଟୋକ୍ ମକାକ ପ୍ରଜାତିର ୩୦ ଲକ୍ଷରୁ ଅଧିକ ମାଙ୍କଡ ରହିଛନ୍ତି । ଏହି ମାଙ୍କଡମାନେ ସ୍ଥାନୀୟ ଅଧିବାସୀଙ୍କ ଫସଲକୁ ବହୁ ମାତ୍ରାରେ ନଷ୍ଟ କରି ଦେଉଛନ୍ତି । କୃଷକଙ୍କ ଫସଲ ରକ୍ଷା କରିବା ଲାଗି ଶ୍ରୀଲଙ୍କା ସରକାର ଚୀନ୍ କୁ ଏତେ ସଂଖ୍ୟାରେ ମାଙ୍କଡ ରପ୍ତାନୀ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରାଣୀ ଉଦ୍ୟାନ ଓ ପଶୁ ପ୍ରଜନନ ସହ ଜଡିତ ଚୀନ୍ ର ଏକ ଘରୋଇ କମ୍ପାନୀ କିଛି ମାସ ତଳେ ଶ୍ରୀଲଙ୍କାର କୃଷି ମନ୍ତ୍ରଣାଳୟକୁ ଏହି ସମ୍ବନ୍ଧରେ ନିବେଦନ କରିଥିଲା । ତେବେ ଏହା ଜାଣିବା ପରେ ଶ୍ରୀଲଙ୍କାର ଜଷ୍ଟିସ ଫର୍ ଆନିମଲ୍ ଗ୍ରୁପ୍ ଓ ଅନ୍ୟ ପରିବେଶ ସୁରକ୍ଷା ମଞ୍ଚ ଅଦାଲତରେ ଏହା ବିରୁଦ୍ଧରେ ଯାଚିକା ଦାୟର କରିଥିଲେ ।

ଶ୍ରୀଲଙ୍କାର କୃଷି ମନ୍ତ୍ରୀ ମହିନ୍ଦା ଅମରବୀରା ୧୨ ଏପ୍ରିଲରେ ବିବିସିକୁ କହିଥିଲେ ଶ୍ରୀଲଙ୍କାରୁ ଚୀନକୁ ଏକ ଲକ୍ଷ ମାଙ୍କଡ ପଠାଯିବା ବିଷୟ ଉପରେ ବିଚାର କରିବା ଲାଗି ଏକ କମିଟି ଗଠନ କରାଯାଇଛି । ଚୀନ୍ ଏହାର ବିଭିନ୍ନ ଚିଡିଆଘର ଲାଗି ଶ୍ରୀଲଙ୍କାରୁ ମାଙ୍କଡ ନେବାକୁ ଇଚ୍ଛା ପ୍ରକାଶ କରିଛି । ତେବେ ଶ୍ରୀଲଙ୍କା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ମାଙ୍କଡ ରପ୍ତାନୀ କରି ଆର୍ଥିକ ସମସ୍ୟା କିଛି ମାତ୍ରାରେ ସମାଧାନ କରିବାକୁ ଚାହୁଁଥିଲା । ଚୀନ୍ ସହିତ ଏହି ମାଙ୍କଡ କାରବାରକୁ ନେଇ ଶ୍ରୀଲଙ୍କାର ତିନି ପର୍ଯ୍ୟାୟ କଥାବାର୍ତ୍ତା ଶେଷ ହୋଇଥିଲା । ଏହି କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ମନ୍ତ୍ରୀ ଅମରବୀରାଙ୍କ ମତ ଥିଲା କି ମାଙ୍କଡଙ୍କୁ ଚୀନ୍ ରପ୍ତାନୀ କରିଦେବା ଦ୍ୱାରା କୃଷକଙ୍କ ଫସଲ ରକ୍ଷା ପାଇଯିବ ।

କୃଷି ମନ୍ତ୍ରୀ କହିଥିଲେ ଶ୍ରୀଲଙ୍କାରେ ମାଙ୍କଡ ଓ ଗୁଣ୍ଡୁଚି ଦେଶର ପ୍ରାୟ ୧୦ କୋଟି ନଡିଆ ଫସଲକୁ କ୍ଷତି ପହଞ୍ଚାଇଥାନ୍ତି । ଏହାଦ୍ୱାରା ପ୍ରାୟ ୧୫୭ କୋଟି ଟଙ୍କା କ୍ଷତି ହୋଇଥାଏ । ଅନ୍ୟପକ୍ଷରେ ପରିବେଶବିଦ୍ କହିଛନ୍ତି କୌଣସି ବି ନିର୍ଣ୍ଣୟ ନେବା ପୂର୍ବରୁ ମାଙ୍କଡମାନଙ୍କର ସଠିକ୍ ଗଣନା ହେବା ଉଚିତ । ଚୀନ୍ କାହିଁକି ଏହି ମାଙ୍କଡମାନଙ୍କୁ ନେଉଛି , ଚୀନ୍ କଣ ଏହି ମାଙ୍କଡ ମାନଙ୍କ ଉପରେ ଗବେଷଣା କରିବ କିମ୍ବା ଚୀନ୍ ମାଙ୍କଡମାନଙ୍କୁ ଖାଇବା ଉଦ୍ଦେଶ୍ୟରେ ନେଉଛି ଏହା ସ୍ପଷ୍ଟ ହେବା ଉଚିତ ବୋଲି ପରିବେଶବିଦ୍ମାନେ ଅଭିଯୋଗ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଶ୍ରୀଲଙ୍କାରେ ଏହି ପ୍ରଜାତିର ମାଙ୍କଡ ସଂରକ୍ଷିତ ପ୍ରାଣୀ ତାଲିକାରେ ନ ଥିବା ବେଳେ ଅନ୍ତଃରାଷ୍ଟ୍ରୀୟ ରେଡ୍ ଲିଷ୍ଟ (ବିପଦରେ ବନ୍ୟଜୀବ ତାଲିକା)ରେ କିନ୍ତୁ ଏହି ମାଙ୍କଡ ରହିଛନ୍ତି ।

Get real time updates directly on you device, subscribe now.