କେତକୀ ଫୁଲରେ ଶିବ ହୋଇଥିଲେ ପ୍ରସନ୍ନ, ବଡ଼ ଓଷା କରିବାରୁ ରାଜା-ରାଣୀଙ୍କୁ ଦେଇଥିଲେ ଏହି ବର

(ଓଡ଼ିଶା ଭାସ୍କର ): ଓଷା, ବ୍ରତ, ଜାନି-ଯାତ୍ରାକୁ ନେଇ ଉତ୍କଳୀୟ ପରମ୍ପରା । ସେଥିପାଇଁ ତ ଓଡ଼ିଆ ପରମ୍ପରା ସବୁଠାରୁ ଭିନ୍ନ ଓ ନିଆରା । ଏଠି ବାର ମାସରେ ପାଳନ କରାଯାଏ କାହିଁ କେତେ ଓଷା, ବ୍ରତ ଯାହାର ହିସାବ ନାହିଁ । ଗଭବାନଙ୍କ ଆର୍ଶୀବାଦ ପାଇବାର ଏ ସବୁ ଗୋଟିଏ ଗୋଟିଏ ମାଧ୍ୟମ । ପ୍ରତ୍ୟେକ ଜାନିଯାତ୍ରାକୁ ନେଇ ଯେମିତି ଏକ କିମ୍ବଦନ୍ତି ଅଛି ସେହିପରି ଭାବେ ବଡ଼ଓଷାକୁ ନେଇ ମଧ୍ୟ ଗୋଟିଏ କାହାଣୀ ରହିଛି ।

ଉତ୍କଳରେ ଜଣେ ଧାର୍ମିକ ରାଜା ଥିଲେ, ଯାହାଙ୍କ ନାମ ଥିଲା କତୃ । ଦିନେ ସେ ବଣକୁ ଶିକାର କରିବାକୁ ଯାଇଥିଲେ । ଆଉ ସେଠାର ଶିକାର ଖୋଜୁ ଖୋଜୁ ଦେଖିଲେ, ଜଣେ ସୁନ୍ଦରୀ ତରୁଣୀ ମହାଦେବଙ୍କ ଆରଧନା କରୁଛନ୍ତି । ଯୁବତୀ ଜଣକ ଭଲ ବର ପାଇବା ଆଶାରେ ହିଁ ଶିବଙ୍କ ନିକଟରେ ପ୍ରାର୍ଥନା କରୁଥିଲେ । କତୃଙ୍କୁ ଦେଖିବା ପରେ ଯୁବତୀଜଣକ ରାଜାଙ୍କୁ ବାହା ହେବା ଲାଗି ଇଚ୍ଛା କଲେ । ଅନ୍ୟପଟେ ରାଜା ବଣରେ ସୁନ୍ଦରୀ ତରୁଣୀଙ୍କୁ ଦେଖିବା ପରେ ମନରେ କାମନା ଜାତି ହୋଇଥିଲା । ରାଜା ଯୁବତୀଙ୍କୁ ସେଠାରେ ବିବାହ କରି ରାଜ ଉଆଁସ ନେଇ ଆସିଲେ । ଦୁହେଁ ଖୁସିରେ ଜୀବନ ଅତିବାହିତ କରିବାକୁ ଲାଗିଲେ । ଆଉ ଶିବଙ୍କ ଆରଧନା ଭୁଲିଗଲେ । ପୂଜାର୍ଚ୍ଚନା ପ୍ରାୟତଃ ବନ୍ଦ ହୋଇଗଲା । ଏମିତି ଦିନ ବିତିଚାଲିଥିଲା । ଏଭଳି ପରିସ୍ଥିତି ଆସିଲା, ଯେଉଁଥିରେ କତୃଙ୍କଠାରୁ ତାଙ୍କ ରାଜ୍ୟ ବି ଚାଲିଗଲା । ନିଜ ରାଜ୍ୟରୁ ବିତାଡିତ ହୋଇ କତୃ ରାଣୀଙ୍କ ସହ ବଣରେ ରହିବା ଆରମ୍ଭ କଲେ । ପୁଣି ଈଶ୍ୱରଙ୍କ ମାର୍ଗକୁ କତୃ ଫେରିଲେ । ଏମିତି ଦିନେ ଜଣେ ସନ୍ୟାସୀ କେତକୀ ଫୁଲ ନେଇ ଶିବଙ୍କ ନିକଟକୁ ଯାଉଥିଲେ । କେତକୀ ଫୁଲ ଦେଖି କତୃ ଚିନ୍ତା କଲେ , ଯଦି ସେ ଏହି ଫୁଲକୁ ନେଇ ଶିବ ଠାକୁରଙ୍କ ନିକଟରେ ସମର୍ପଣ କରିବେ ତେବେ ତାଙ୍କୁ ଠାକୁର ପ୍ରସନ୍ନ ହୋଇଯିବେ ଆଉ ସେ ରାଜ୍ୟ ପୁଣିଥରେ ଫେରିପାଇବେ । ଏହିଭାବି କତୃ ସନ୍ୟାସୀଙ୍କଟାରୁ ଜୋର ଜବରଦସ୍ତ ଫୁଲ ଛଡ଼ାଇ ଆଣି ଶିବଙ୍କୁ ସମର୍ପି ଥିଲେ । ଆଉ ସନ୍ୟାସୀ ଜଣକ ଏଥିରେ ରାଗିଯାଇ କତୃଙ୍କୁ କୁଷ୍ଟବ୍ୟାଧିର ଅଭିଷାପ ଦେଇଦେଲେ । ସ୍ୱାମୀଙ୍କୁ ଭଲ କରିବା ପାଇଁ ରାଣୀ ସଙ୍ଗେ ସଙ୍ଗେ ମହାଦେବଙ୍କ ନିକଟରେ ଗୁହାରି କଲେ । ଏହାପରେ ଶିବ ରାଣୀଙ୍କୁ ବଡ଼ ଓଷା କରିବା ପାଇଁ କହିଲେ । ବଡ଼ ନିଷ୍ଠାର ସହ ରାଣୀ ଏହି ଓଷାକୁ ପାଳନ କଲେ ଏବଂ କିଛିଦିନରେ ହିଁ କୃତ ଭଲ ହୋଇଗଲେ । ଏହାପରେ ସେ ତାଙ୍କ ରାଜ୍ୟ ପୁଣିଥରେ ଫେରି ପାଇଲେ । ଏହାପରେ ରାଜ୍ୟସାରା ଲୋକମାନେ ଶିବଙ୍କ କୃପା ପ୍ରାପ୍ତି ଉଦେ୍ଦଶ୍ୟରେ ବଡ଼ ଓଷା କରିବା ଲାଗି ପରାମର୍ଶ ଦେଇଥିଲେ ।

ବଡ଼ ଓଷା କରିବା ଦ୍ୱାରା ବଡ଼ ବଡ଼ ବିପଦ ଦୂର ହୋଇଯାଏ ବୋଲି ଅନେକଙ୍କ ବିଶ୍ୱାସ ରହିଛି । କେହି କେହି କୁହନ୍ତି, ଇନ୍ଦ୍ର ଯେତେବେଳେ ରାଜା ହେଲେ ସେତେବେଳେ ସେ ବ୍ରହ୍ମାଙ୍କୁ ଅପମାନିତ କରିଥିଲେ । ବ୍ରହ୍ମା ରାଗିଯାଇ ଇନ୍ଦ୍ରଙ୍କୁ ରାଜବ୍ୟାଧିର ଅଭିସାପ ଦେଲେ । ଇନ୍ଦ୍ର ନିଜ ଭୁଲର ଅନୁତାପ କରି ବ୍ରହ୍ମାଙ୍କୁ କ୍ଷମା ମାଗି ଏହାର ନିରାକରଣ ପାଇଁ ଉପାୟ ପଚାରିଥିଲେ । ଯାହାପରେ ବ୍ରହ୍ମା ଇନ୍ଦ୍ରଙ୍କୁ ମ୍ରତ୍ୟପୁରରେ ଥିବା ବାବା ଧବଳେଶ୍ୱର ମନ୍ଦିର ନିକଟରେ ପ୍ରବାହିତ ମହାନଦୀରେ ସ୍ନାନ କରିବା ପାଇଁ କହିଥିଲେ । ବ୍ରହ୍ମା ଶିବଙ୍କ ବଡ଼ ଓଷା ପାଳି ଧବଳେଶ୍ୱର ପୀଠରେ ସ୍ନାନ କରିବା ଦ୍ୱାରା ବ୍ୟାଧିରୁ ମୁକ୍ତ ହୋଇଥିଲେ ଇନ୍ଦ୍ର । ସବୁ ଓଷା ଭିତରୁ ବଡ଼ ଓଷାକୁ ସବୁଠୁ ଶ୍ରେଷ୍ଠ ଓଷା ଭାବେ ପାଳନ କରନ୍ତି । ଏ ପୂଜା ବିଧିରେ ବହୁ ନୀତିକାନ୍ତି ରହିଥାଏ । ଯାହାକୁ ପାଳନ କରିବାକୁ ମଧ୍ୟ ପଡ଼େ । ବଡ଼ ଓଷାରେ ଶିବଙ୍କ ନିକଟରେ ଗଜ ଭୋଗ ହୋଇଥାଏ । କାର୍ତ୍ତିକ ମାସରେ ଏ ବ୍ରତ ପାଳନକ ରୁଥିବାରୁ ଏହାର ମହିମା ଅଧିକ ଥାଏ ବୋଲି ଅନେକଙ୍କ ବିଶ୍ୱାସ ।