fbpx

ମହିଳାଙ୍କୁ ଦଣ୍ଡସ୍ୱରୂପ ହତ୍ୟା ପରେ ଶବକୁ କୁକୁରକୁ ଖୁଆଏ ତାଲିବାନ, ବର୍ବରତାର ଶିକାର ହୋଇଥିବା ମହିଳା କହିଲେ ହୃଦୟଥରା କାହାଣୀ

ନୂଆଦିଲ୍ଲୀ: ଭୟଙ୍କର ତାଲିବାନୀ ସରକାରକୁ ନେଇ ଆଫଗାନିସ୍ତାନ ବାସିନ୍ଦା ଭୟରେ ଥରହର ହୋଇ ବଞ୍ଚୁଛନ୍ତି । ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡି ଲୋକମାନେ ଯେଉଁଆଡ଼େ ପାରୁଛନ୍ତି ଚାଲିଯାଉଛନ୍ତି । ତାଲିବାନୀ ମାନେ କେତେ ଭୟଙ୍କର ତାହା କେବଳ ଅଙ୍ଗେ ନିଭେଇଥିବା ଲୋକମାନେ ହିଁ କହିପାରିବେ । ବିଶେଷ କରି ମହିଳା ମାନଙ୍କ ଉପରେ ହେଉଥିବା ବର୍ବରତା ନ କହିବା ହିଁ ଭଲ । ଏନେଇ ଜଣେ ଅଫଗାନ୍ ମହିଳା ନିଜର ଦୁଃଖ ବଖାଣିଛନ୍ତି ।

ଆଫଗାନିସ୍ତାନରେ ମହିଳାମାନେ ସମ୍ମୁଖୀନ ହେଉଥିବା ଅତ୍ୟାଚାରର କାହାଣୀ ବିଷୟରେ ଦିଲ୍ଲୀରେ ରହୁଥିବା ଜଣେ ଆଫଗାନ ମହିଳା ଖାତେରା କହିଛନ୍ତି । ତାଲିବାନି ମାନେ ମହିଳା ମାନଙ୍କ ଦ୍ୱାରା ଭୁଲ୍ ହେଲେ ସେମାନଙ୍କୁ ଦଣ୍ଡ ସ୍ୱରୂପ ହତ୍ୟା କରୁଥିଲା। ଏହାପରେ ସେମାନଙ୍କ ଶବକୁ କୁକୁରମାନଙ୍କୁ ଖାଇବାକୁ ଦେଉଥିଲା । ଖାଲି ଏତିକି ନୁହେଁ, ମହିଳାଙ୍କ ଆଖି ତାଡ଼ିବା ଭଳି କାର୍ୟ୍ୟ ମଧ୍ୟ କରିବାରେ ତାଲିବାନୀମାନେ ପଛାନ୍ତି ନାହିଁ।

ସୂଚନା ଅନୁଯାୟୀ, ଆଫଗାନର ଗଜନି ପ୍ରଦେଶରେ ରହୁଥିବା ୩୩ ବର୍ଷୀୟ ଖତେରା ଗତବର୍ଷ ଅକ୍ଟୋବର ମାସରେ ତାଲିବାନ ବର୍ବରତାର ଶିକାର ହୋଇଥିଲେ। ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । କିନ୍ତୁ ସେ ସେଥିରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଗଜନି ପ୍ରଦେଶର ପୁଲିସ୍ ବିଭାଗରେ କାମ କରୁଥିଲେ ଖତେରା । ଘଟଣା ଦିନ ସେ ଡ୍ୟୁଟିରୁ ଘରକୁ ଫେରୁଥିବା ବେଳେ ବାଇକରେ ୩ ଜଣ ତାଲିବାନୀ ଆସି ପହଞ୍ଚିଥିଲେ। ସେମାନେ ଖତେରାଙ୍କ ଆଇଡି ଚେକ୍ କରିଥିଲେ। ଏହାପରେ ତାଙ୍କ ଉପରେ ଗୁଳିମାଡ଼ କରିଥିଲେ।

ତାଙ୍କ ଶରୀରରେ ୮ଟି ଗୁଳି ବାଜିଥିଲା । କେବଳ ସେତିକି ନୁହେଁ ତାଲିବାନୀ ମାନେ ତାଙ୍କ ଶରୀରରେ ଛୁରାମାଡ ମଧ୍ୟ କରିଛନ୍ତି । ଏହାସହ ବେହୋସ ହୋଇଯିବା ପରେ ତାଙ୍କ ଆଖିକୁ ଛୁରୀରେ ଆକ୍ରମଣ କରି ସେହି ଅବସ୍ଥାରେ ଛାଡି ଚାଲିଯାଇଥିଲେ । ଆକ୍ରମଣର ଶିକାର ହେବା ବେଳେ ୨ ମାସର ଗର୍ଭବତୀ ଥିଲେ ଖତେରା । ଘଟଣା ପରେ ପ୍ରଥମେ ସେ କାବୁଲ ଓ ପରେ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର ହୋଇଥିଲେ। ତାଙ୍କ ପାଖରେ କିଛି ଟଙ୍କା ଥିବାରୁ ସେ ନିଜ ସ୍ୱାମୀ ଓ ପିଲା ସହ ଦିଲ୍ଲୀରେ ରହି ଚିକିତ୍ସିତ ହୋଇପାରୁଛନ୍ତି।

ଏହା ବ୍ୟତୀତ ସେ କହିଛନ୍ତି କି, ‘ମୁଁ ଭାଗ୍ୟଶାଳୀ ଥିବାରୁ ଏପରି ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ମହିଳା ମାନଙ୍କୁ ଦଣ୍ଡ ସ୍ୱରୂପ ମହିଳାମାନଙ୍କୁ ହତ୍ୟା କରିବା ପରେ ଶବକୁ କୁକୁରମାନଙ୍କୁ ଖାଇବାକୁ ଦେଉଥିଲେ । ଆଫଗାନରେ ତାଲିବାନୀ ଅଧୀନରେ ରହିବା ମରଣଯନ୍ତ୍ରଣା ଠାରୁ କିଛି କମ ନୁହେଁ। ସେମାନେ ବିଶେଷ କରି ମହିଳା, ଛୋଟ ପିଲା ଓ ସଂଖ୍ୟାଲଘୁ ମୁସଲିମଙ୍କ ସହ ଅତ୍ୟାଚାର କରନ୍ତି’ ।

Get real time updates directly on you device, subscribe now.