ଆମେରିକୀୟ କମ୍ପାନୀ ‘ଆଇବିଏମ୍’କୁ ପଛରେ ପକାଇଲା ଟିସିଏସ୍, ପାଇଲା ବିଶ୍ୱର ଦ୍ଵିତୀୟ ମୂଲ୍ୟବାନ କମ୍ପାନୀ ମାନ୍ୟତା

ନୂଆଦିଲ୍ଲୀ: ଆଇଟି ସର୍ଭିସେସ୍ କ୍ଷେତ୍ରରେ ଭାରତୀୟ କମ୍ପାନୀ ଟାଟା କନସଲଟେନ୍ସି ସର୍ଭିସ୍(ଟିସିଏସ୍), ଆମେରିକୀୟ କମ୍ପାନୀ ‘ଆଇବିଏମ୍’କୁ ପଛରେ ପକାଇ ବିଶ୍ବର ଦ୍ବିତୀୟ ମୂଲ୍ୟବାନ କମ୍ପାନୀର ମାନ୍ୟତା ପାଇଛି । ଆଇଟି ସେବା କ୍ଷେତ୍ରର ଶ୍ରେଷ୍ଠ ୨୫ କମ୍ପାନୀ ମଧ୍ୟରେ ଅନ୍ୟ ଏକ ଭାରତୀୟ କମ୍ପାନୀ ‘ଇନ୍ଫୋସିସ୍’ ମଧ୍ୟ ସ୍ଥାନ ପାଇଛି । ଏନେଇ ବ୍ରାଣ୍ଡ୍ ଫାଇନାନ୍ସ ୨୦୨୨ ଗ୍ଲୋବାଲ ୫୦୦ ର ରିପୋର୍ଟରେ ପ୍ରକାଶ ପାଇଛି । ଇନ୍ଫୋସିସ୍ ସବୁଠାରୁ ଅଧିକ ଉନ୍ନତି କରୁଥିବା ବ୍ରାଣ୍ଡର ମାନ୍ୟତା ପାଇଛି । ବିଶ୍ବରେ ସବୁଠାରୁ ଅଧିକ ଉନ୍ନତି କରୁଥିବା ୧୦ଟି ବଡ ଆଇଟି ସର୍ଭିସେସ୍ କମ୍ପାନୀ ମଧ୍ୟରେ ଭାରତର ୬ଟି ବଡ ବ୍ରାଣ୍ଡ୍ ଅଛନ୍ତି । ଏହି ରାଙ୍କିଙ୍ଗ୍ ୨୦୨୦-୨୨ ଲାଗି କରାଯାଇଛି ।

ରିପୋର୍ଟ ଅନୁସାରେ, ଆଇଟି ସର୍ଭିସେସ୍ ସହିତ ଜଡିତ ଏହି ରାଙ୍କିଙ୍ଗରେ ‘ଆସେନ୍ଚର’ ପ୍ରଥମ ସ୍ଥାନରେ ଅଛି । ଏହାର ବ୍ରାଣ୍ଡ୍ ମୂଲ୍ୟ ୩୬.୨ ବିଲିଅନ ଡଲାର । ଆମେରିକୀୟ ଆଇଟି କମ୍ପାନୀ ଆଇବିଏମ୍ ଏହି ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଆସିଛି । ୨୦୨୦ ରୁ ୨୦୨୨ ମଧ୍ୟରେ ଭାରତୀୟ କମ୍ପାନୀଗୁଡିକ ସବୁଠାରୁ ଅଧିକ ଉନ୍ନତି କରିଛନ୍ତି। ଗତ ୧୨ ମାସରେ ଟିସିଏସର ବ୍ରାଣ୍ଡ୍ ମୂଲ୍ୟ ୧୨.୫ ପ୍ରତିଶତ ବଢି ପାଖାପାଖି ୧ ଲକ୍ଷ ୨୬ ହଜାର କୋଟି ଟଙ୍କା(୧୬.୭୮୬ ଆରବ ଡଲାର) ହୋଇଛି । ଆଇଟି ସର୍ଭିସେସ୍ ଫାର୍ମ୍ ଟିସିଏସ୍ ୨୦୨୧ରେ ୨୫ ବିଲିୟନ୍ ଡଲାର ଆୟ କରିଛି ।