fbpx

୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ, କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମି ଚାଲିଥିବାରୁ ଧୀରେ ଧୀରେ ଖୋଲୁଛି ଶିକ୍ଷାନୁଷ୍ଠାନ । ଦଶମ, ଦ୍ୱାଦଶ ଶ୍ରେଣୀ ଖୋଲି ସାରିଥିବା ବେଳେ ଆସନ୍ତା ୯ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ହେଲେ କୋଭିଡ୍‌ ନିୟମକୁ କଡ଼ାକଡ଼ିଭାବେ ପାଳନ କରାଯିବ ଏବଂ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କ ପାଇଁ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ୍‌ ବାଧ୍ୟତାମୂଳକ ହେବ । ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ଶ୍ରେଣୀଗୃହ, ଲାବୋରେଟୋରୀ ଓ ହଷ୍ଟେଲକୁ ସାନିଟାଇଜ କରାଯିବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି ।

ଚଳିତ ମାସ ୯ ତାରିଖରୁ ରାଜ୍ୟର ସମସ୍ତ ଡିପ୍ଲୋମା, ଆଇଟିଆଇ, ଡିଗ୍ରୀ, ପଲିଟେକନିକ କଲେଜ ଖୋଲିବ । କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହୁଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀମାନେ, ବିଶ୍ୱବିଦ୍ୟାଳୟ କିମ୍ବା କଲେଜକୁ ଆସିବେ ନାହିଁ । ସାମାଜିକ ଦୂରତା ବଜାୟ ରଖିବା ସହ ଅଧିକ ଛାତ୍ରଛାତ୍ରୀ ଥିଲେ ସେମାନଙ୍କୁ ଦୁଇଟି ବ୍ୟାଚରେ ବିଭକ୍ତ କରାଯିବ । ଛାତ୍ରଛାତ୍ରୀ ବା କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଲେ ସେମାନଙ୍କୁ ସଙ୍ଗରୋଧ କରିବା ପାଇଁ ହଷ୍ଟେଲରେ ବ୍ୟବସ୍ଥା କରାଯିବ । ରାଜ୍ୟର ବିଭିନ୍ନ ସ୍ଥାନ ତଥା ରାଜ୍ୟ ବାହାରୁ ମଧ୍ୟ ଛାତ୍ରଛାତ୍ରୀ ଆସିବାକୁ ଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ସିଟିଂ ଆରେଞ୍ଜମେଣ୍ଟ କରାଯିବ । ସାମାଜିକ ଦୂରତା ଅବଳମ୍ବନ କରାଯିବ ।

Get real time updates directly on you device, subscribe now.