fbpx

ବିହାରରେ BJP-JDU ମେଣ୍ଟରେ ଫାଟ: ବଦଳିବ ରାଜନୈତିକ ଦୃଶ୍ୟପଟ୍ଟ, ନୀତିଶ ହେବେ ଆଉଟ୍, ତେଜସ୍ୱୀ ଧରିବେ ରାଜ୍ୟର ଡୋରୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟରେ ରାଜନୈତିକ ଝଡ଼ ଦେଖିବାକୁ ମିଳିଲାଣି । ବଡ଼ ବଡ଼ ଦଳମାନେ ଫାଇନାଲ୍ ମ୍ୟାଚ ପୂର୍ବରୁ ନିଜର ବ୍ୟାଟିଂ ଓ ବୋଲିଂକୁ ଶକ୍ତିଶାଳୀ କରିବାକୁ ଗେମ୍ ପ୍ଲାନ୍ ଆରମ୍ଭ କରିଦେଲେଣି । ତେବେ ଏହା ମଧ୍ୟରେ ବିହାରର ରାଜନୈତିକ ପରିସ୍ଥିତି ସରଗରମ୍ ହୋଇଉଠିଛି । ନିକଟରେ ବିହାର ବିଧାନସଭା ଉପନିର୍ବାଚନରେ ଆଜେଡି ବିଜୟଲାଭ କରିଥିବା ବେଳେ ଜେଡିୟୁ ଏହି ଫଳାଫଳକୁ ନେଇ ଖୁସି ମନାଇଥିଲା । ତେବେ ବିହାରର ଏନଡିଏ ମେଣ୍ଟର ସହଯୋଗୀ ଥିବା ଜେଡିୟୁ ବିଜେପିର ପରାଜୟରେ ଖୁସି ମନାଇବା ସମସ୍ତଙ୍କୁ ଚକିତ କରିଦେଇଥିଲା । ନିକଟରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଇଫତାର ପାର୍ଟିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗଦେବା ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି ।

ଅନ୍ୟପଟେ ଆରଜେଡି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ବୋଲି କହିଛନ୍ତି ତେଜପ୍ରତାପ ଯାଦବ । ତେବେ ଯଦି ଏପରି କିଛି ଘଟେ, ତେବେ ବିହାରରେ ଖୁବଶୀଘ୍ର ବିଜେପି-ଜେଡିୟୁ ମେଣ୍ଟର ପତ୍ତନ ଘଟିବ ଆଉ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ । ଗତ ବିଧାନସଭା ନିର୍ବାଚରେ ଆରଜେଡି ସର୍ବାଧିକ ଆସନ ଅକ୍ତିଆର କରିଥିଲେ ହେଁ ସରକାର ଗଠନରୁ ବଞ୍ଚିତ ହୋଇଥିଲା । ନୀତିଶ ସୁଚତୁର ଗୋଟି ଚାଳନା କରି ବିଜେପି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଜେଡିୟୁଠାରୁ ବିଜେପି ଅଧିକ ସିଟ୍ ହାସଲ କରିଥିବାରୁ ଅଧିକାଂଶ ସମୟରେ ବିଜେପି ନେତାମାନେ ନୀତିଶଙ୍କୁ ଅପମାନିତ କରୁଥିବା କିଛି ନେତା କହିଥିଲେ ।

ନୀତିଶ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ହେଁ ସବୁେଳେ ବିଜେପି ନିଜର ବଡ଼ଭାଇ ପଣିଆ ଦେଖାଇ ନୀତିଶଙ୍କୁ ଗୌଣ କରିଦେଉଥିଲା । ତେଣୁ ନୀତିଶ ବିଜେପି ଟ୍ରାପରୁ ମୁକୁଳିବାକୁ ଯେ ତ୍ରାହିତ୍ରାହି ଡାକୁଥିଲେ ଏବେ ତାହା ସ୍ପଷ୍ଟ ହୋଇଛି । ଯଦିଓ ଏହି ଇଫତାର ପାର୍ଟିର ରାଜନୀତି ସହ କିଛି ସମ୍ପର୍କ ନାହିଁ ବୋଲି ନୀତିଶ ସ୍ପଷ୍ଟ କରିଛନ୍ତି, ତେବେ ରାଜନୀତିରେ କିଛି ବି ଅସମ୍ଭବ ନୁହେଁ । ନୀତିଶ ଚାଚାଙ୍କ ସହିତ ରାଜନୀତି ବିଷୟରେ ଆଲୋଚନା ହୋଇଥିବା ତେଜପ୍ରତାପ କହିଥିବାରୁ ଖୁବଶୀଘ୍ର ରାଜ୍ୟରେ ପଲିଟିକାଲ ଗେମ୍ ଚେଞ୍ଜ ହେବାକୁ ଯାଉଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

Get real time updates directly on you device, subscribe now.