fbpx

ପୁଅକୁ କ୍ରିକେଟର କରିବା ପାଇଁ ଚାକିରି ଛାଡ଼ିଥିଲେ ପିତା, ଏବେ ଚୌକା ଛକାର ବର୍ଷା କରି ଦଳକୁ ଜିତାଇଥିଲେ ଏହି ଯୁବ ଖେଳାଳି, ଜାଣନ୍ତୁ କିଏ ସେ ?

ମୁମ୍ବାଇ: ଚଳିତ ବର୍ଷ ଆଇପିଏଲ୍‌-୧୭ରେ ଯୁବ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳୁଛି । ସବୁଠାରୁ ଅଧିକ ରନ୍ ସଂଗ୍ରହ କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ସଂଘର୍ଷ ଜାରି ରହିଛି । କିଏ ଚୌକା ଛକାର ବର୍ଷା କରୁଛି ତ କାହାର ବୋଲିଂର ଜାଦୁ ଦର୍ଶକଙ୍କ ମନ କିଣୁଛି । ସେହିପର ୱିକେଟ ହାସଲ କରିବାରେ ମଧ୍ୟ ଅନେକ ଖେଳାଳି ପାରଙ୍ଗମ ଅଛନ୍ତି । ଚଳିତ ଆଇପିଏଲରେ ଅନେକ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯାଇଛି । ଅନ୍ୟପଟେ ଚଳିତ ଆଇପିଏଲରେ ଅନେକ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ଏଥିମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦର ଯୁବ ବ୍ୟାଟ୍ସମ୍ୟାନ୍ ନୀତିଶ କୁମାର ରେଡ୍ଡୀଙ୍କ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ପାଲଟିଛି ।

ଏପ୍ରିଲ ୯ ତାରିଖ(ମଙ୍ଗଳବାର) ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ମୁକାବିଲା ହୋଇଥିଲା । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପଞ୍ଜାବ କିଙ୍ଗ୍‌ସକୁ ୨ ରନରେ ପରାସ୍ତ କରିଥିଲା । ପଞ୍ଜାବ କିଙ୍ଗ୍‌ସ ବିପକ୍ଷଷର ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନମାନେ ରନ ସଂଗ୍ରହ କରିବାକୁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ଦଳ ପାଇଁ ଦେବଦୂତ ସାଜିଥିଲେ ନୀତିଶ ରେଡ୍ଡୀ । ସେ ଦଳର ଇନିଂଶକୁ ନିଜ କାନ୍ଧରେ ପରିଚାଳନା କରିବାର ଦାୟିତ୍ୱ ଗ୍ରହଣ କରିଥିଲେ । ନୀତିଶଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଥିଲା । ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ । ସେ ୩୭ଟି ବଲରୁ ୪ଟି ଚୌକା ଏବଂ ୫ଟି ଛକା ସହ ୬୪ ରନର ଇନିଂସ ଖେଳିଥିଲେ । ତେବେ କ୍ରିକେଟ ଦୁନିଆରେ ନୀତିଶଙ୍କ ଯାତ୍ରା ଏତେ ସହଜ ନଥିଲା ।

ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ସହର ବିଶାଖାପାଟଣାରେ ଜନ୍ମ ଗ୍ରହଣ କରିଥିଲେ ନୀତିଶ ରେଡ୍ଡୀ । ତାଙ୍କର ପୂରା ନାମ କାକି ନୀତିଶ କୁମାର ରେଡ୍ଡୀ । ବୟସ ମାତ୍ର ୨୦ ବର୍ଷ । ଆଇପିଏଲ୍ ୨୦୨୩ରେ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣି ଥିଲା । ନୀତିଶ ଏକ ସାଧାରଣ ପରିବାରରୁ ଆସିଛନ୍ତି । ନୀତିଶଙ୍କ କ୍ୟାରିୟର ପାଇଁ ତାଙ୍କ ବାପା ଚାକିରି ଛାଡ଼ିଥିଲେ । ସେ ନୀତିଶଙ୍କ ମାର୍ଗଦର୍ଶନ କରିବା ସହ ସହଯୋଗ କରିଥିଲେ । ତେବେ ତାଙ୍କ ପରିଶ୍ରମର ଫଳ ବର୍ତ୍ତମାନ ନୀତିଶଙ୍କ ପ୍ରଦର୍ଶନରେ ପ୍ରତିଫଳିତ ହେଉଛି । ନୀତିଶ ଏକ ସାକ୍ଷାତକାରରେ କହିଥିଲେ ଯେ ପିତାଙ୍କ ପାଇଁ ଆଜି ସେ ଉତ୍ତମ କ୍ରିକେଟର ହୋଇପାରିଛନ୍ତି । ସେ ହିଁ ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଉପରେ ବିଶ୍ୱାସ କରିଥିଲେ । ନୀତିଶ ତାଙ୍କ ପ୍ରଥମ ଦରମାରେ ପରିବାର ପାଇଁ ଏକ କାର କିଣିଥିଲେ । ଏବଂ ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ । ନୀତିଶ ବିରାଟ କୋହଲିଙ୍କୁ ନିଜର ଆଦର୍ଶ ମାନୁଥିଲେ । ଗତ ବର୍ଷ ସେ ତାଙ୍କ ଦଳ ବିପକ୍ଷରେ ଡେବ୍ୟୁ କରିଥିଲେ । ନୀତିଶ ତାଙ୍କ କ୍ୟାରିୟରରେ ମୋଟ୍ ୧୭ଟି ପ୍ରଥମ ଶ୍ରୋଣୀ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସହ ୫୬୬ ରନ୍ କରିଛନ୍ତି । ସେହିପରି ବୋଲିଂରେ ୧୭ଟି ମ୍ୟଚରେ ୫୨ଟି ୱିକେଟ ନେବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.