ନୂଆଦିଲ୍ଲୀ: ୨୦୧୬ ମସିହାରେ ଭାରତୀୟ ସେନାଙ୍କ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ସାମିଲ ଥିଲା । ପୂର୍ବତନ କୂଟନୀତିଜ୍ଞ ଅଜୟ ବିସାରିୟାଙ୍କ ନୂତନ ପୁସ୍ତକ ‘ଆଙ୍ଗର ମ୍ୟାନେଜମେଣ୍ଟ’ ରେ ଏନେଇ ବଡ଼ ଖୁଲାସା ହୋଇଛି । ଉରୀ ଆକ୍ରମଣରେ ୧୯ ଜଣ ଭାରତୀୟ ସେନା ସହିଦ ହୋଇଥିଲେ । ପୁସ୍ତକ ଅନୁ୍ଯାୟୀ, ଆକ୍ରମଣ ପରେ ଆମେରିକା ଏଥିରେ ସଂପୃକ୍ତ ଥିବା ଆଇଏସଆଇର ଭୂମିକାକୁ ନେଇ ପାକିସ୍ତାନକୁ ଉଚିତ ଶିକ୍ଷା ଦେଇଥିଲା । ପାକିସ୍ତାନରେ ଆମେରିକା କୂଟନୀତିଜ୍ଞ ସେପ୍ଟେମ୍ବର ୨୦୧୬ରେ ତତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରୀଫଙ୍କୁ ଭେଟିଥିଲେ । ସେ ଏକ ଫାଇଲ ଦେଇଥିଲେ ଯେଉଁଥିରେ ପ୍ରମାଣ ଥିଲା ଯେ, ଆଇଏସଆଇ ଦ୍ୱାରା ଉରୀ ଆକ୍ରମଣ ଘଟିଛି ।
ଆମେରିକା କୂଟନୀତିଜ୍ଞ ଦାଖଲ କରିଥିବା ଫାଇଲରେ ଏପରି ଶକ୍ତ ପ୍ରମାଣ ଥିଲା ଯେ, ଯେଉଁଥିରେ ପାକିସ୍ତାନୀ ସେନାଙ୍କ ସାମ୍ନା କରିବା ପାଇଁ ଶରୀଫଙ୍କୁ ପ୍ରେରିତ କରାଯାଇଥିଲା । ଏହାପରେ ବହୁ ଘଟଣାମାନ ଘଟିଥିଲା ଏବଂ ୨୦୧୭ରେ ପିଏମଏଲ-ଏନ-ପାର୍ଟୀ ପ୍ରମୁଖଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଥିଲା । ଶେଷରେ ୨୦୧୮ ମସିହାରେ ଶରୀଫ ଆତ୍ମନିର୍ବାସନରେ ଯିବା ପାଇଁ ବାଧ୍ୟ ହୋଇଥିଲେ । ଉରୀ ଆକ୍ରମଣ ପରେ ଯୁକ୍ତରାଷ୍ଟ୍ର ଆମେରିକା କିପରି ଏଥିରେ ନିଜର ଭୂମିକା ଲିଭାଇଥିଲେ ତାହା ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି । ହେଲେ ପୁସ୍ତକରେ ଆମେରିକା କୂଟନୀତିଜ୍ଞଙ୍କ ନାମ ଉଲ୍ଲେଖ କରାଯାଇନାହିଁ ।
୨୦୧୬ ମସିହାରେ ପଠାନକୋଟରେ ଭାରତୀୟ ବାୟୁ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିପାଇଁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦଙ୍କୁ ଅଭିଯୁକ୍ତ ବୋଲି ପ୍ରମାଣିତ କରାଯାଇଥିଲା । ଏହା ପୂର୍ବରୁ ଭାରତ ସହ ପାକିସ୍ତାନ ସମ୍ବନ୍ଧକୁ ମଧୁର କରିବା ପାଇଁ ପ୍ରୟାସ କରାଯାଉଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ ନିଜ ଶପଥଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନବାଜ ଶରୀଫଙ୍କୁ ନିମନ୍ତ୍ରଣ କରିଥିଲେ । ୨୦୧୫ ମସିହାରେ ଶରୀଫଙ୍କ ନାତୁଣୀଙ୍କର ବିବାହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାହୋର ଯାଇଥିଲେ । ହେଲେ ଏହି ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧୁର ସଂପର୍କର କୌଣସି ସମ୍ଭାବନାର ପ୍ରଶ୍ନ ଉଠୁନାହିଁ ।
ପୁସ୍ତକରେ ଲେଖାଯାଇଛି ଯେ, ଉରୀ ଆକ୍ରମଣରେ ଆଇଏସଆଇର ଭୂମିକାରେ ଆମେରିକା ଯେଉଁ ସୂଚନା ଦେଇଛନ୍ତି ସେଥିରେ ଶରୀଫ ନିରାଶ ହୋଇଛନ୍ତି । ସେ ଏହି ମାମଲାର ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ନାଗରିକ,ସୈନ୍ୟ ଏବଂ ନେତାମାନଙ୍କୁ ନେଇ ବୈଠକ ଡକାଇଥିଲେ । ତତତ୍କାଳୀନ ପାକିସ୍ତାନର ବୈଦେଶିକ ସଚିବ ଏଜାଜ ଅହମଦ ଚୌଧୂରୀ କହିଥିଲେ ଯେ, ଦେଶକୁ କୂଟନୀତିଜ୍ଞଙ୍କ ପ୍ରଶ୍ନର ସାମ୍ନା କରିବାକୁ ପଡୁଛି । ପଠାନକୋଟ ଆକ୍ରମଣର ଯାଞ୍ଚ ପରେ ଜୈଶ-ମହମ୍ମଦଙ୍କ ବିରୋଧରେ ଆକ୍ସନ ପାଇଁ ଦାବି କରାଯାଇଛି । ଏହି ବୈଠକକୁ ନେଇ ପାକିସ୍ତାନ ଖବର କାଗଜ ଡନ ସର୍ବପ୍ରଥମେ ଅକ୍ଟୋବର ୨୦୧୬ରେ ଏହି ରିପୋର୍ଟ ଛାପିଥିଲା । ଏନେଇ ବିବାଦ ଉପୁଜି ଥିଲା ଯାହାକୁ ଡନଗେଟ ନାମରେ ନାମିତ କରାଗଲା ।