fbpx

ପକ୍କା ଘର ପ୍ରସଙ୍ଗରେ ବିଧାନସଭାରେ ସରଗରମ ଆଲୋଚନା, ତାରାଙ୍କ ଅଭିଯୋଗକୁ ଖଣ୍ଡନ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର: ପକ୍କା ଘର ପ୍ରସଙ୍ଗରେ ବିଧାନସଭାରେ ସରଗରମ ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ଏହି ପ୍ରସଙ୍ଗ ଉଠାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ। ତାରା କହିଛନ୍ତି ରାଜ୍ୟର ୧୨ ଲକ୍ଷ ଯୋଗ୍ୟ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନ ଖରା ବର୍ଷା ରେ ଜୀବନ କାଳାତିପାତ କରୁଛନ୍ତି । ରାଜ୍ୟ ସରକାର ଏମାନଙ୍କୁ ପକ୍କା ଘର କାହିଁକି ଯୋଗାଇ ଦେଉ ନାହାନ୍ତି । କେଉଁଠି ରହୁଛି ଅସୁବିଧା।

ଏହା ସହିତ ସେ କହିଛନ୍ତି ଯଦି କେନ୍ଦ୍ର ସରକାର ଆବଶ୍ୟକୀୟ ମୁତାବକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେଉ ନାହାନ୍ତି ତେବେ ଦଳ ମତ ନିର୍ବିଶେଷରେ ସମସ୍ତେ ଚାଲନ୍ତୁ ପ୍ରଧାନମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବା । ଆଉ ଯଦି କେନ୍ଦ୍ର ସରକାର ଘର ଦେଉ ନାହାନ୍ତି ତେବେ ରାଜ୍ୟ ସରକାର ମୋ କୁଡ଼ିଆ ଯୋଜନାରେ ଏହି ୧୨ ଲକ୍ଷ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଅନ୍ତୁ ବୋଲି ଗୃହରେ ତାରା ଦାବି କରିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ରାଜ୍ୟରେ ପକ୍କା ଘର ଯୋଗାଇ ଦେବାରେ ପାନ୍ତର ଅନ୍ତର କରାଯାଉଛି । ଯେଉଁଥି ପାଇଁ ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ସରକାର ଫନି ପ୍ରପୀଡ଼ିତ ଲୋକଙ୍କୁ ଆଜି ପର‌୍ୟ୍ୟନ୍ତ ଘର ଯୋଗାଇ ଦେଲେ ନାହିଁ । ତେଣୁ ସରକାର ଫନି ପ୍ରପୀଡିତ ଲୋକଙ୍କୁ ତୁରନ୍ତୁ ଘର ଯୋଗାଇ ଦେବା ଦାବି କରିଛନ୍ତି ସାଲୁଜା ।

ସେପଟେ ତାରାଙ୍କୁ କାଉଣ୍ଟର କରି ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି । ଗୃହରେ ଯେଉଁ ତଥ୍ୟ ରଖା ଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ । କେନ୍ଦ୍ର ପକ୍କା ଘର ଦେଉନଥିବା ଅଭିଯୋଗ ଠିକ ନୁହେଁ । କେନ୍ଦ୍ର ସରକାର ୧୫ ଲକ୍ଷ ଘର ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ସେଥି ମଧ୍ୟରୁ ୮ ଲକ୍ଷ ଘର ଯୋଗାଇ ଦିଆଯାଇଛି । ମାତ୍ର ରାଜ୍ୟ ସରକାର ତାକୁ ପ୍ରାଥମିକତା ଭିତରେ ବାଣ୍ଟିବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୋହନ ।

ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲା କୁ ଉପେକ୍ଷା କରାଯାଇଛି । ରାଜ୍ୟ ସରକାର ଆବାସ ପ୍ଳସ ସାଇଟରେ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ ବହୁତ ତ୍ରୁଟି ରହିଛି ବୋଲି କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ଆହୁରି ସେ କହିଛନ୍ତି କେନ୍ଦ୍ର ସରକାର ୨୦୨୪ ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ବଦ୍ଧ ଆଉ ସେ ଦିଗରେ କାମ କରୁଛନ୍ତି । ମାତ୍ର ଏ ନେଇ ଗୃହକୁ ଭ୍ରମିତ କଲା ଭଳି ତଥ୍ୟ ଦିଆଯାଉଛି ।

Get real time updates directly on you device, subscribe now.