fbpx

ଗଳା ସଂକ୍ରମଣ ବୃଦ୍ଧି କରିଥାଏ ହୃଦଘାତ ଆଶଙ୍କା ! ଜାଣନ୍ତୁ କିପରି କରିବେ ଘରୋଇ ଉପଚାର…

ଓଡ଼ିଶା ଭାସ୍କର: ଶୀତ ଦିନ ଆସିଲେ ଅଧିକାଂଶ ସମୟରେ ସର୍ଦ୍ଦି, କାଶ, ଥଣ୍ଡା, ଜ୍ୱର ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ଏଥିମଧ୍ୟରୁ ଗଳା ସଂକ୍ରମଣ(Throat Infection) ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ବର୍ତ୍ତମାନ ଋତୁ ପରିବର୍ତ୍ତନର ସମୟ । ଦେଖିବାକୁ ଗଲେ ଦେଶରେ ମୁଣ୍ଡ ଟେକିଥିବା କୋଭିଡ଼ ସଂକ୍ରମଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ ହୋଇପଡ଼ିଛି । ତେବେ ସାଧାରଣ ସର୍ଦ୍ଦି, କାଶ, ଥଣ୍ଡା କିମ୍ବା ଫ୍ଲୁ ଜନିତ ଲକ୍ଷଣ ଦେଖାଗଲେ ଲୋକମାନେ ଡାକ୍ତରଙ୍କ ବିନା ଅନୁମତିରେ ଔଷଧ ସେବନ କରିଥାନ୍ତି । ଏପରି କରିବା ଦ୍ୱାରା ପାଶ୍ୱର୍ପ୍ରତିକ୍ରିୟା ହେବାର ସମ୍ଭାବନା ରହିଥାଏ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ପ୍ରକାଶ ଯେ ବ୍ୟକ୍ତି ଜଣଙ୍କ ଗଳା ସଂକ୍ରମଣରେ ପୀଡ଼ିତ ହେଲେ ହୃଦୟର ଭାଲ୍ଭ ଉପରେ ପ୍ରଭାବ ପକାଇଥାଏ । ଏହା Rheumatic Heart Diseaseର ପ୍ରାରମ୍ଭିକ ଲକ୍ଷଣ ଅଟେ । ସାଧାରଣ ଗଳା ସଂକ୍ରମଣ ହେଲେ ଘରୋଇ ଉପଚାର ଦ୍ୱାରା ଉପଚାର ସମ୍ଭବ । ତେବେ ଆସନ୍ତୁ ଜାଣିବା ଶୀତ ଦିନେ କେଉଁ ସବୁ ଉପଚାର ଦ୍ୱାରା ଗଳା ସଂକ୍ରମଣ ଠାରୁ ଦୂରେଇ ରହିପାରିବା ।

୧. ଅଦା ଚାହା: ଶୀତ ଦିନେ ଅଦା ଚାହାର ସେବନ କରିବା ଦ୍ୱାରା ଗଳା ସଂକ୍ରମଣରୁ ଉପସମ ମିଳିଥାଏ । ଅଦାରେ ରହିଥିବା ପୋଷକ ତତ୍ୱ ଶରୀରରେ ବ୍ୟାକଟେରିୟା ଓ ଭାଇରସ ପ୍ରବେଶ ଉପରେ ରୋକ୍ ଲଗାଇଥାଏ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

୨. ମହୁ: ଅନେକ ଔଷଧୀୟ ତତ୍ୱରେ ଭରପୁର ଅଟେ ମହୁ । ଆୟୁର୍ବେଦ ଏବଂ ମେଡିକାଲ ବିଜ୍ଞାନ ଅନୁଯାୟୀ ମହୁରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଗଳା ସଂକ୍ରମଣ ଏବଂ ଫୁଲା ପାଇଁ ଲାଭଦାୟକ ହୋଇଥାଏ । ଆପଣ ଚାହିଁଲେ ମହୁରେ ଅଦା ରସ ବା ଉଷୁମ ପାଣିରେ ମହୁ ମିଶାଇ ସେବନ କରିପାରିବେ ।

୩. ଲୁଣ ପାଣିରେ ଗାର୍ଗଲ: ଦିନକୁ ଅତି କମରେ ୨-୩ ଥର ଲୁଣ ପାଣିରେ ଗାର୍ଗଲ କରିପାରିବେ । ଏହି ଉପାୟ ଦ୍ୱାରା ଗଳା ସଂକ୍ରମଣ ସହ ମୁଖ ସଂକ୍ରମଣରୁ ବି ଉପସମ ମିଳିଥାଏ ।

୪. ଉଷୁମ ପାଣି ସହ ଲେମ୍ବୁର ସେବନ: ଅଧିକାଂଶ ଲୋକମାନେ ଉଷୁମ ପାଣି ସହ ଲେମ୍ବୁ ମିଶାଇ ସେବନ କରିଥାନ୍ତି । ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିଭାଇରାଲ ଗୁଣରେ ଭରପୁର ଏହି ପାନୀୟରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରର କ୍ଷମତା ରହିଛି ।

୫. ଷ୍ଟିମର ବ୍ୟବହାର: ଗରମ ପାଣିର ବାମ୍ଫ ନେବା ଗଳା ସଂକ୍ରମଣରୁ ଉପସମ ଦେବା ପାଇଁ କିଛି ମାତ୍ରାରେ ସହାୟକ ହୋଇଥାଏ । ପ୍ରଦୂଷଣ କାରଣରୁ ଗଳା ଶୁଖିଯିବା, ଗଳାରେ ଖିଚ୍ଖିଚ୍, ଫୁଲିଯିବା ଇତ୍ୟାଦି ଲକ୍ଷଣ ଦେଖାଯାଇଥାଏ । ଆପଣ ଚାହିଁଲେ ହୁ୍ୟମିଡ଼ିଫାୟାରର ବ୍ୟବହାର କରିପାରିବେ ।

୬. ସୁପ ସେବନ: ଆପଣଙ୍କୁ ଗଳା ସଂକ୍ରମଣ ହୋଇଥିଲେ ବିଭିନ୍ନ ପନିପରିବାଯୁକ୍ତ ସୁପର ସେବନ କରିପାରିବେ । ନିଜକୁ ସବୁବେଳେ ହାଇଡ୍ରେଟ୍ ରଖିବା ପାଇଁ ଚେଷ୍ଟା କରନ୍ତୁ ।

 

Get real time updates directly on you device, subscribe now.