ଜାମ୍ମୁ-କାଶ୍ମୀର ରଜୌରୀରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିକାଣ୍ଡ: ଦୁଇ ଯବାନ ସହିଦ, ଜଣେ ସେନା ଅଧିକାରୀଙ୍କ ସମେତ ୪ ଆହତ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ରଜୌରୀ ସେକ୍ଟରରେ ଶୁକ୍ରବାର ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିକାଣ୍ଡ ହୋଇଛି । ଏଥିରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ୪ ଆହତ ହୋଇଛନ୍ତି । କୁହାଯାଉଛି ଯେ, ଗୁଳିକାଣ୍ଡ ସହୟରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ବିସ୍ପୋରଣରେ ଦୁଇ ଯବାନ ସହିଦ ହୋଇଛନ୍ତି । ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ଅପରେସନ୍ ଜାରି ରହିଛି । ସୁରକ୍ଷା ଦୃଷ୍ଟି କୋଣରୁ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି ।

ସେନା ଏକ ବୟାନ୍‌ରେ କହିଛି ଯେ, ରଜୌରୀ ସେକ୍ଟରର କାଣ୍ଡି ଜଙ୍ଗଲ ଅଞ୍ଚଳରେ ସେନା ଦଳ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ଘଟଣା ଘଟିଛି । ମଙ୍ଗଳବାର ଦିନ ଜାମ୍ମୁ ଅଞ୍ଚଳର ଭଟା ଧୁରିଆନ୍ର ଟୋଟା ଗାଲି ଅଞ୍ଚଳରେ ଏକ ସେନା ଟ୍ରକ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ଅନୁସନ୍ଧାନ ପାଇଁ ଏହି ଟିମ୍ ଗୁଇନ୍ଦା ସୂଚନା ଆଧାରରେ ସର୍ଚ୍ଚ ଅପରେସନ୍ କରୁଥିଲା । କାଣ୍ଡି ଜଙ୍ଗଲର ଏକ ଘଞ୍ଚ ପାହାଡ଼ିଆ ଅଞ୍ଚଳରେ ଗୁମ୍ଫାରେ ଆତଙ୍କବାଦୀଙ୍କମାନେ ଲୁଚି ରହିଥବା ସମ୍ପର୍କରେ ସୂଚନା ପାଇବା ପରେ ଗୁରୁବାର ଏକ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା ।