fbpx

ବିଶ୍ୱକୁ ମାଡ଼ି ଆସିବ ମହାମାରୀ: ପଶୁଙ୍କ ଠାରୁ ମଣିଷକୁ କବଳିତ କରିବ ହଜାର ହଜାର ଭାଇରସ, ଜଳବାୟୁ ପରିବର୍ତ୍ତନ ସାଜିବ ମୁଖ୍ୟ କାରଣ

ନ୍ୟୁୟର୍କ : ୨୦୭୦ ସୁଦ୍ଧା ବିଶ୍ୱ ହଜାର ହଜାର ସଂଖ୍ୟାରେ ମହାମାରୀର ଶିକାର ହେବ । ଏହି ସମୟରେ ଅତି କମ୍‌ରେ ୧୫ ହଜାର ଭୂତାଣୁ ପଶୁଙ୍କ ଠାରୁ ମଣିଷକୁ କବଳିତ କରିବାର ସମ୍ଭାବନା ରହିଛି । ଏନେଇ ଜାତିସଂଘ ପକ୍ଷରୁ ଗଭୀର ଚିନ୍ତା ପ୍ରକଟ କରାଯାଇଛି । ଆମେରିକା ଜର୍ଜ ଟାଉନ୍‌ ୟୁନିଭର୍ସିଟିର ନେଚର ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏକ ନିବନ୍ଧ ଅନୁଯାୟୀ ଆସନ୍ତା ୫୦ ବର୍ଷ ଭିତରେ ଏସିଆ ଓ ଆଫ୍ରିକାରେ ମହାମାରୀ ବ୍ୟାପିବାର ଅଧିକ ସମ୍ଭାବନା ରହିଛି । ଏଥିପୂର୍ବରୁ ଫ୍ଲୁ, ଏଚ୍‌ଆଇଭି, ଇବୋଲା ଏବଂ କରୋନା ଭଳି ମହାମାରୀର ହଟ୍‌ସ୍ପଟ ପାଲଟିଛି ଏସିଆ ଓ ଆଫ୍ରିକା । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯଦି ଆଗାମୀ ୫୦ ବର୍ଷ ଭିତରେ ପୃଥିବୀର ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବ ତେବେ ୩ ହଜାରରୁ ଅଧିକ ବିଭିନ୍ନ ପ୍ରକାରର ସ୍ତନ୍ୟପାୟୀ ପ୍ରାଣୀ ସ୍ଥାନାନ୍ତରିତ ହେବାକୁ ବାଧ୍ୟ ହେବେ । ଏଥିଯୋଗୁଁ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବ ଏବଂ ଅନ୍ୟ ପଶୁମାନଙ୍କୁ ବ୍ୟାପିବ । ପରବର୍ତ୍ତୀ ସମୟରେ ଏହା ମଣିଷକୁ ସଂକ୍ରମିତ କରିବ । ସମ୍ପ୍ରତି ମଣିଷକୁ ସଂକ୍ରମଣ କରିବା ଭଳି ପାଖାପାଖି ୧୦ ହଜାର ଭୂତାଣୁ ପଶୁଙ୍କ ଠାରେ ରହିଛି । ଏହା କରୋନା ଭଳି ମହାମାରୀରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ମିଳିଥିବା ସୂଚନାନୁଯାୟୀ, ୨୦୭୦ ସୁଦ୍ଧା କେବଳ ସ୍ତନ୍ୟପାୟୀ ପ୍ରାଣୀଙ୍କ ଠାରୁ ୪ ହଜାର ଭୂତାଣୁ ବ୍ୟାପିବ । ବିଶେଷ କରି ବାଦୁଡ଼ି ଠାରୁ ଅଧିକ ଭୂତାଣୁ ବ୍ୟାପିବାର ସମ୍ଭାବନା ଥିବାବେଳେ ଯେଉଁ ପକ୍ଷୀ ସବୁ ଅଧିକ ଦୂର ଉଡ଼ି ପାରନ୍ତି ସେମାନଙ୍କ ଠାରୁ ମଧ୍ୟ ବ୍ୟାପିବାର ସମ୍ଭାବନା ଦେଖାଦେଇଛି।  ଜାତିସଂଘ ପକ୍ଷରୁ କୁହାଯାଇଛି ଯେ, ଭବିଷ୍ୟତର ମହାମାରୀରୁ ବଞ୍ଚିବାକୁ ହେଲେ ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ପଡ଼ିବ । କାରଣ ଜଳବାୟୁ ପରିବର୍ତ୍ତନ ଓ ଭୂତାଣୁ ସଂକ୍ରମଣ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଏଥିପାଇଁ ଗ୍ରୀନ୍‌ହାଉସ୍‌ ଗ୍ୟାସ ଓ ଇନ୍ଧନ ବ୍ୟବହାରକୁ କମ୍‌ କରିବାକୁ ପଡ଼ିବ । ନିକଟରେ ଜାତିସଂଘ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ କେବଳ ମହାମାରୀ ନୁହେଁ ବରଂ ଏଥିଯୋଗୁଁ ଭବିଷ୍ୟତରେ ବିଶ୍ୱକୁ ହଜାର ହଜାର ସଂଖ୍ୟକ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ିଆସିବ । ପରିବେଶ ଉପରେ ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ପଡୁଛି । ପରିବର୍ତ୍ତନ ଓ ପ୍ରଦୂଷଣ ଯୋଗୁଁ ଅଦିନିଆ ବର୍ଷା ଓ ମରୁଡ଼ିର ହାହାକାର ଦେଖିବାକୁ ମିଳୁଛି । କୃଷିକ୍ଷେତ୍ର ପ୍ରଭାବିତ ହେଉଛି । ପୂର୍ବାପେକ୍ଷା ଅମଳ ପରିମାଣ ହ୍ରାସ ପାଇଛି । ବିଶ୍ୱର ବହୁ ରାଷ୍ଟ୍ର ଖାଦ୍ୟାଭାବ ଦେଇ ଗତି କରୁଛନ୍ତି । ଖାଲି ଏତିକି ନୁହେଁ ସାରା ବିଶ୍ୱକୁ ମାଡ଼ି ଆସିଛି ଭୟଙ୍କର ମହାମାରୀ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଗାମୀ ଦିନରେ ଅନେକ ପ୍ରାକୃତିକ ବିପଦ ମାଡ଼ି ଆସିବ ବୋଲି ଜାତିସଂଘ ସତର୍କ କରାଇ ଦେଉଛି ।

Get real time updates directly on you device, subscribe now.