ନୂଆଦିଲ୍ଲୀ: ସାଧାରଣ ଭାବେ କୌଣସି ରାଷ୍ଟ୍ରରେ ରାଷ୍ଟ୍ରପତି, ଉପରାଷ୍ଟ୍ର ଆଦି ଶୀର୍ଷ ପଦରେ ପଦାସୀନ ବ୍ୟକ୍ତିବିଶେଷଙ୍କୁ ଯଥେଷ୍ଟ ସମ୍ମାନ ମିଳିଥାଏ । ବିଭିନ୍ନ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶ ତରଫରୁ ପ୍ରତିନିଧିତ୍ୱ କରିଥାନ୍ତି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ କ୍ଷମତାକୁ ନେଇ ବିଭିନ୍ନ ଦେଶର ସମ୍ବିଧାନରେ ଭିନ୍ନ ଭିନ୍ନ ନିୟମ ରହିଛି । ତେବେ ଅନେକ ସମୟରେ କୌଣସି ଦେଶର ରାଜନୈତିକ ଦଳର ନେତାମାନେ ଅନ୍ୟ ଦଳର ନେତାଙ୍କୁ ନିଜ ଭାଷର ମାଧ୍ୟମରେ ଧମକ ଦେଉଥିବାର ଦେଖାଯାଇଥାଏ । ତେବେ ଏହା ମଧ୍ୟରେ ଯେଉଁ ମାମଲା ସାମ୍ନାକୁ ଆସିଛି, ତାହା ଗଣତନ୍ତ୍ରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛି । ଏଭଳି ଏକ ଲଜ୍ଜାଜନକ ମାମଲାକୁ ବିଶ୍ୱର ବିଭିନ୍ନ ଦେଶ ତରଫରୁ କଡ଼ା ନିନ୍ଦା କରାଯାଇଛି ।
ସୂଚନା ମୁତାବକ, ଫିଲିପାଇନ୍ସରୁ ଆସିଛି ଏଭଳି ଏକ ନିନ୍ଦନୀୟ ଘଟଣା । ଦେଶର ଉପରାଷ୍ଟ୍ରପତି ସାରା ଦୁତେର୍ତେ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିୟରଙ୍କୁ ଅକ୍ଷମ ରାଷ୍ଟପତି କହିବା ସହ ମିଥ୍ୟା କହୁଥିବା ନେଇ ଅଭିଯୋଗ ଆଣିଛନ୍ତି । ଉପରାଷ୍ଟ୍ରପତି ସାରା କହିଛନ୍ତି, ରାଷ୍ଟ୍ରପତି, ତାଙ୍କ ପତ୍ନୀ ଲୀଜା ଅରନେଟା-ମାର୍କୋସ ଓ ପ୍ରତିନିଧି ସଭାର ଅଧ୍ୟକ୍ଷ ମାଟ୍ରି୍ରନ ରୋମୁଅଲଡେଜଙ୍କୁ ମାରିବାକୁ ସେ ଜଣେ ହତ୍ୟାକାରୀଙ୍କୁ ସୁପାରି ଦେଇଛନ୍ତି । ତେବେ ତା’ ପୂର୍ବରୁ ଯଦି ସାରାଙ୍କର ହତ୍ୟା ହୁଏ, ତେବେ ତା’ପରେ ବି ନ ଅଟକି, ଏହି ୩ ଜଣଙ୍କୁ ମାରିଦେବାକୁ ସେ ସୁପାରି କିଲରଙ୍କୁ କହିଥିବା ସାରା କହିଛନ୍ତି । ଏହା ମଜାକଥା ନୁହେଁ କି ତାଙ୍କ କଥାକୁ ହାଲୁକା ଭାବେ ଗ୍ରହଣ ନ କରିବାକୁ ସାରା କହିଛନ୍ତି । ତେବେ ଦେଶର ରାଷ୍ଟ୍ରପତିଙ୍କ ପ୍ରତି ସାରାଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ବିଶ୍ୱ ସ୍ତରରେ କଡ଼ା ସମାଲୋଚନା କରାଯାଇଛି ।