ଉପରାଷ୍ଟ୍ରପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା, ପ୍ରଧାନମନ୍ତ୍ରୀ କହିଲେ- ଗଣତନ୍ତ୍ର ବିଷୟରେ ନାଇଡୁଙ୍କଠୁ ବହୁତ କିଛି ଶିଖି ହେବ

ନୂଆଦିଲ୍ଲୀ: ଦେଶର ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁଙ୍କୁ ସୋମବାର ରାଜ୍ୟସଭାରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବୁଧବାର ନାଇଡୁଙ୍କୁ କାର୍ଯ୍ୟକାଳ ସରୁଛି ଏବଂ ଜଗଦୀପ ଧନଖଡ ଅଗଷ୍ଟ ୧୧ରେ ପଦ ଏବଂ ଗୋପନୀୟତାର ଶପଥ ପାଠ ନେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପ୍ରତ୍ୟେକ ସାଂସଦ ଏବଂ ଯୁବ ପିଢିଙ୍କୁ କହିବାକୁ ଚାହୁଁଛି ଯେ, ସେମାନେ ସମାଜ, ଦେଶ ଏବଂ ଗଣତନ୍ତ୍ର ବିଷୟରେ ନାଇଡୁଙ୍କଠୁ ବହୁତ କିଛି ଶିଖି ପାରିବେ। ଆପଣଙ୍କ ଅନୁଭବ ଆମର ଯୁବବର୍ଗଙ୍କୁ ମାର୍ଗଦର୍ଶନ କରିବ ଏବଂ ଗଣତନ୍ତ୍ରକୁ ଆହୁରି ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଆମେ ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ତାଙ୍କର କାର‌୍ୟ୍ୟକାଳ ସମାପ୍ତି ଉପରେ ଧନ୍ୟବାଦ ଦେବାକୁ ଏକତ୍ର ହୋଇଛୁ। ଏହା ଏହି ଗୃହ ପାଇଁ ଭାବୁକ ମୂହୁର୍ତ୍ତ। ଗୃହର ଅନେକ ଐତିହାସିକ ମୂହୁର୍ତ୍ତ ଆପଣଙ୍କ ଗରିମା ଉପସ୍ଥିତି ସହ ଜଡିତ ରହିଛି। ଭେଙ୍କେୟା ଜୀ ଆପଣ ପ୍ରତ୍ୟେକ ଦାୟିତ୍ଵ ବଡ ସସଫଳତାପୂର୍ବକ ନିର୍ବାହ କରିଛନ୍ତି। ନାଇଡୁ ବହୁତ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି। ସେ ସର୍ବଦା ଯୁବପିଢିଙ୍କୁ ମାର୍ଗଦର୍ଶନ କରିଛନ୍ତି। ତାଙ୍କଠୁ ଗଣତନ୍ତ୍ର ବିଷୟରେ ବହୁତ କିଛି ଶିଖାଯାଇ ପାରିବ। ରାଜ୍ୟସଭାର ଅଧ୍ୟକ୍ଷ ଥିବା ସମୟରେ ଯୁବ ସାଂସଦଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଜାଣିଛନ୍ତି ଯେ, ଏଥର ଆମେ ଏମିତି ଅଗଷ୍ଟ ୧୫ ପାଳନ କରୁଛୁ, ଯେଉଁଠି ଦେଶର ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ବାଚସ୍ପତି ଏବଂ ପ୍ରଧାନମନ୍ତ୍ରୀ ସମସ୍ତେ ସ୍ଵାଧୀନ ଭାରତରେ ଜନ୍ମ ନେଇଛନ୍ତି। ଆଉ ସମସ୍ତେ ସାଧାରଣ ପରିବାରରୁ ଆସିଛନ୍ତି।

ସୂଚନଯୋଗ୍ୟ, ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ ଦେଶର ୧୪ତମ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଉପ ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ମେଣ୍ଟ ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କୁ ପରାଜିତ କରିଛନ୍ତି। ଏକତରଫା ମୁକାବିଲାରେ ଧନଖଡଙ୍କୁ ମୋଟ୍ ୫୨୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଆଲଭାଙ୍କୁ କେବଳ ୧୮୨ ଭୋଟ୍ ମିଳିଥିଲା। ଏହି ନିର୍ବାଚନରେ ମୋଟ୍ ୭୨୫ ସାଂସଦ ମତଦାନ କରିଥିବା ବେଳେ ସେଥିରୁ ୧୫ ଭୋଟ୍ ନାକଚ ହୋଇଥିଲା।