fbpx

ଟି-୨୦ ବିଶ୍ୱ କପ୍ ପରେ ଆରସିବିର ଅଧିନାୟକ ପଦ ଛାଡି ପାରନ୍ତି ବିରାଟ କୋହଲି, କାରଣ କହିଲେ କୋଚ୍

ନୂଆଦିଲ୍ଲୀ : ଗୁରୁବାର ଟି-୨୦ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ପଦ ଛାଡିବା ଘୋଷଣା କରିଥିଲେ ବିରାଟ କୋହଲି । ଏବେ ସେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ପଦ ଶୀଘ୍ର ଛାଡି ପାରନ୍ତି । ବିରାଟଙ୍କ ପିଲା ବେଳର କୋଚ୍ ରାଜକୁମାର ଶର୍ମାଙ୍କ ଅନୁଯାୟୀ, କୋହଲି ଏମିତି କରି ଦିନିକିଆ ଓ ଟେଷ୍ଟ କ୍ରିକେଟ୍ ଉପରେ ଅଧିକ ଧ୍ୟାନ ଦେଇ ପାରିବେ । ବିରାଟ କୋହଲି ଗତ ୮ ବର୍ଷ ଧରି ଆରସିବିର ନେତୃତ୍ୱ ନେଉଛନ୍ତି । ହେଲେ ଏ ପର୍ଯ୍ୟନ୍ତ ସେ ଦଳକୁ ଚାମ୍ପିଅନ କରାଇ ପାରି ନାହାନ୍ତି । ଏହାକୁ ନେଇ ପ୍ରତି ବର୍ଷ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ଖୁବ୍ ସମାଲୋଚନା କରାଯାଏ । ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେଉଥିବା ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ବିରାଟ କୋହଲି ନିଜ ଉପରେ ଲାଗିଥିବା ଏହି ଦାଗକୁ ହଟାଇବାକୁ ଚେଷ୍ଟା କରିବେ ।

ଇଣ୍ଡିଆ ନ୍ୟୁଜ୍ ସହ ଆଲୋଚନା ବେଳେ କୋହଲିଙ୍କ କୋଚ୍ ରାଜକୁମାର ଶର୍ମା କହିଛନ୍ତି, ଆଇସିସି ଟୁର୍ଣ୍ଣାମେଣ୍ଟ ଜିତି ନପାରିବା ତାଙ୍କ ରେକର୍ଡକୁ ଦେଖିଲେ କୋହଲିଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଯାଇ ପାରିବ ନାହିଁ । ସେ ସବୁଠୁ ସଫଳ ଅଧିନାୟକ ମଧ୍ୟରୁ ଜଣେ । ତିନି ଫର୍ମାଟରେ ସେ ଦଳକୁ ଅନେକ ସଫଳତା ଦେଇଛନ୍ତି । ଆପଣ ଜଣେ ଅଧିନାୟକଙ୍କୁ ଏହାକୁ ନେଇ ସମୀକ୍ଷା କରି ପାରିବେ ନାହିଁ ଯେ, ସେ କେତେ ଆଇସିସି ଟ୍ରଫି ଜିତିଛନ୍ତି। ତାଙ୍କ ରେକର୍ଡ ହିଁ ଦର୍ଶାଉଛି ଯେ, ସେ ଜଣେ ଖେଳାଳି ଏବଂ ଅଧିନାୟକ ଭାବେ ଦେଶ ପାଇଁ କଣ କରିଛନ୍ତି ।

ରାଜକୁମାର ଶର୍ମା କହିଛନ୍ତି, ସମୟ ଆସିବ କୋହଲି ଶୀଘ୍ର ଅର୍ଥାତ ଟି-୨୦ ବିଶ୍ୱ କପ୍ ପରେ ଆରସିବିର ଅଧିନାୟକ ପଦ ଛାଡି ଦେବେ । ଆଉ ଦଳ ପାଇଁ ଜଣେ ବ୍ୟାଟସମ୍ୟାନ ହିସାବରେ ଖେଳିବେ । ଏହା ତାଙ୍କ ପାଇଁ ବହୁତ ଭଲ ହେବ ଏବଂ ବିରାଟ ଭାରତୀୟ ଦଳ ପାଇଁ ଦିନିକିଆ ଓ ଟେଷ୍ଟ କ୍ରିକେଟରେ ଅଧିକ ଧ୍ୟାନ ଦେଇ ପାରିବେ । ବିରାଟ ଟି-୨୦ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ପଦ ଛାଡିବା ନିଷ୍ପତ୍ତିକୁ ତାଙ୍କର ପିଲା ଦିନର କୋଚ୍ ସଠିକ୍ ଦର୍ଶାଇଛନ୍ତି । ନୂତନ ଅଧିନାୟକ ନୂତନ ରଣନୀତି ଏବଂ ନୂତନ ଆଇଡିଆ ଆଣିବେ । ଏଥିପାଇଁ ଏହା ଦେଖିବା ବହୁତ ରୋଚକ ରହିବ ଯେ, କାହାକୁ ଅଧିନାୟକ କରାଯିବ । ଧୋନୀ ଯେମିତି ଦଳରେ କରିଥିଲେ, କୋହଲି ମଧ୍ୟ ସେହି ଭୂମିକା ନିଭାଇବାକୁ ପସନ୍ଦ କରିବେ । ସେ କହିଛନ୍ତି, ବିରାଟ ଏବେ ଅଧିକ ଇଚ୍ଛା ଶକ୍ତି ଏବଂ ଦୃଢତାର ସହ ଟି-୨୦ ବିଶ୍ୱ କପ୍ ଜିିତିବାକୁ ଚାହିଁବେ । କାରଣ ସେ ଟି-୨୦ ଅଧିନାୟକତ୍ୱକୁ ଉଚ୍ଚସ୍ତରରେ ଛାଡିବାକୁ ଚାହିଁବେ ।

Get real time updates directly on you device, subscribe now.