ଆମକୁ ଡର ଲାଗୁଛି,ଏଠାରୁ ଆମକୁ ନେଇଯାଅ, ଭାରତ ସରକାରଙ୍କୁ ନିବେଦନ କଲେ ଇରାନରେ ପଢୁଥିବା ଛାତ୍ରୀଛାତ୍ର

ତେହେରାନ,୧୩ା୬: ଇରାନରେ ଇସ୍ରାଏଲୀ ବିମାନ ଆକ୍ରମଣ ପରେ ସେଠାରେ ପଢ଼ୁଥିବା ଭାରତୀୟ ଛାତ୍ରମାନେ ଶୀଘ୍ର ସ୍ଥାନାନ୍ତର ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ଇରାନର ରାଜଧାନୀ ତେହେରାନ ନିକଟରେ ଅବସ୍ଥିତ ଗୁରୁତ୍ୱପୂର୍ଣ୍ଣ ସାମରିକ ଏବଂ ପରମାଣୁ ଘାଟିଗୁଡ଼ିକୁ ଟାର୍ଗେଟ କରି ଇସ୍ରାଏଲ ବିମାନ ଆକ୍ରମଣ କରିଛି, ଯାହା ଫଳରେ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।

ଇରାନରେ ପଢ଼ୁଥିବା ଭାରତୀୟ ଛାତ୍ରମାନେ କହିଛନ୍ତି, ଆମକୁ ଡର ଲାଗୁଛି, ଆମକୁ ଏଠାରୁ ନେଇଯାଅ। କାଶ୍ମୀରର ତାବିଆ ଜାହରା, ଯିଏ ତେହେରାନ ବିଶ୍ୱବିଦ୍ୟାଳୟର ମେଡିକାଲ ସାଇନ୍ସ (TUMS) ଦ୍ୱିତୀୟ ବର୍ଷର MBBS ଛାତ୍ରୀ, ସେ PTIକୁ କହିଛନ୍ତି, ପରିସ୍ଥିତି ବର୍ତ୍ତମାନ ଶାନ୍ତ ଅଛି ଏବଂ ଆମେ ସୁରକ୍ଷିତ ଅଛୁ, କିନ୍ତୁ ଆମେ ଭୟଭୀତ। ଆକ୍ରମଣ ପ୍ରାୟ ୩:୩୦ରେ ଆରମ୍ଭ ହୋଇଥିଲା ଏବଂ ଆମେ ଭୂମି ଥରିବା ଅନୁଭବ କଲୁ। ଏହା ବହୁତ ଭୟଙ୍କର ଅଭିଜ୍ଞତା ଥିଲା।

ଜହରା କହିଛନ୍ତି, ବିଶ୍ୱବିଦ୍ୟାଳୟ ଅଧିକାରୀମାନେ ଛାତ୍ରମାନଙ୍କୁ ଭେଟି ସେମାନଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ କେଉଁ ଅଞ୍ଚଳ ସୁରକ୍ଷିତ ତାହା ସ୍ପଷ୍ଟ କରି ନଥିଲେ। ଛାତ୍ରମାନେ ଭାରତ ସରକାରଙ୍କୁ ଯଥାଶୀଘ୍ର ଏକ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତ କରିବାକୁ ଏବଂ ସେମାନଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି। ଇରାନରେ ଭାରତୀୟ ଛାତ୍ରଙ୍କ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ଜଣା ନାହିଁ, କିନ୍ତୁ ତେହେରାନ ଏବଂ ଆଖପାଖରେ ବହୁ ସଂଖ୍ୟକ ଭାରତୀୟ ଛାତ୍ର ମେଡିକାଲ ପଢ଼ୁଛନ୍ତି।