ବିଶ୍ୱର ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ LPGର ଦର ସବୁଠାରୁ ଅଧିକ ମହଙ୍ଗା, ଜାଣନ୍ତୁ ଏହା ପଛରେ ଅସଲ ଗଣିତ କ’ଣ ରହିଛି
ନୂଆଦିଲ୍ଲୀ: ନିକଟରେ ସମଗ୍ର ଭାରତବର୍ଷରେ ତୈଳ, ଏଲପିଜି ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ପେଟ୍ରୋଲ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ମହଙ୍ଗା ଦେଶ ହୋଇଥିବା ବେଳେ ଡିଜେଲ କ୍ଷେତ୍ରରେ ୮ ନମ୍ବରରେ ରହିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଲପିଜି କ୍ଷେତ୍ରରେ ଭାରତ ବିଶ୍ୱର ମହଙ୍ଗା ଦେଶ ଭାବେ ବିବେଚିତ ହୋଇଛି । ଅନେକ ଲୋକଙ୍କ ମନରେ ଏହାକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିବା ସ୍ୱାଭାବିକ । ଆସନ୍ତୁ ଜାଣିବା ଏହା ପଛର ଗଣିତ ବିଷୟରେ ।
ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମକୁ ମୁଦ୍ରାର କ୍ରୟନୀତିକୁ ଭଲ ଭାବେ ହିସାବ କରିବାକୁ ପଡ଼ିବ । ଏଥିସହିତ ଅନ୍ତର୍ଜାତୀୟ ଅର୍ଥନୀତି ସମ୍ବନ୍ଧିତ କିଛି ତଥ୍ୟ ମଧ୍ୟ ଜାଣିବାକୁ ପଡ଼ିବ । ସାଧାରଣ ଭାଷାରେ କୁହାଯାଏ ଯେ, ଆମେ ନିଜ ଦେଶରେ ଏକ ଟଙ୍କା ଦେଇ ଯେତିକି ଜିନିଷ କିଣିପାରୁ, ନେପାଳରେ ତା’ଠାରୁ ଅଧିକ ଜିନିଷ କିଣିପାରିବା । ସେହିପରି ଆମେରିକାରେ ଆମେ କିଛି ବି ଜିନିଷ କିଣିପାରିବା ନାହିଁ । ଏହାର ଅର୍ଥ ହେଉଛି, ମୁଦ୍ରା ବା କରେନ୍ସି ଦ୍ୱାରା ଘରୋଇ ବଜାରରୁ ଆମେ ଯେତିକି ଜିନିଷ କିଣିପାରିବା ତାହାକୁ ‘କ୍ରୟଶକ୍ତି’ କୁହାଯାଏ । ଅଲଗା ଅଲଗା ଦେଶର ମୁଦ୍ରାର କ୍ରୟଶକ୍ତି ଅଲଗା ଅଲଗା ହୋଇଥାଏ । ମାତ୍ର ଅନ୍ତର୍ଜାତୀୟ ମାର୍କେଟକୁ ଯିବା ମାତ୍ରକେ ମୁଦ୍ରାର କ୍ରୟଶକ୍ତି ପରିବର୍ତ୍ତନ ହୋଇଯାଇଥାଏ ।
ବିଶ୍ୱର ସମସ୍ତ ଦେଶର ମୁଦ୍ରା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଟ୍ରେଡ ହୋଇଥାଏ । ତାହା ଏକ ନୋମିନଲ ଏକ୍ସଚେଞ୍ଜ ରେଟ୍ ଆଧାରରେ କରାଯାଇଥାଏ । ଏହାକୁ ହିସାବ କରି ଯେ କୌଣସି ଦେଶର ମୁଦ୍ରାର କ୍ରୟଶକ୍ତି ସ୍ଥିର ହୋଇଥାଏ । ପ୍ରତ୍ୟେକ ଦେଶର ଲୋକଙ୍କର ଆୟରେ ବହୁତ କିଛି ଫରକ ରହିଥାଏ । ଭାରତରେ ଏକ ଲିଟର ପେଟ୍ରୋଲ କିଣିବା ଗୋଟିଏ ଦିନର ଆୟର ଏକଚତୁର୍ଥାଂଶ ହୋଇଥିବା ବେଳେ ଆମେରିକାରେ ଏହା ଏକ ଭାଗ ହୋଇଥାଏ ।
ଗୋଟିଏ ଦେଶର ନାଗରିକଙ୍କର କ୍ରୟଶକ୍ତି ଅନ୍ୟ ଦେଶରେ କେତେ ହେବ ତାହା ପରଚେଜିଂ ପାୱର ପ୍ୟାରିଟି ଫର୍ମୂଲାରେ ସ୍ଥିର ହୋଇଥାଏ । ଉଦାହରଣ, ଭାରତରେ ୧୦୦ ଟଙ୍କାରେ ଆପଣ ଯେପରି ଜୀବନ ବିତାଇ ପାରିବେ, ଆମେରିକାରେ ସେପରି ଜୀବନ ବିତାଇବା ପାଇଁ ଆପଣଙ୍କୁ ପାଖାପାଖି ୩୪୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଅର୍ଥାତ ପରଚେଜିଂ ପାୱାର ପ୍ୟାରିଟି ଆଧାରରେ ୧ ଡଲାର ୭୫.୮୪ ଟଙ୍କା ବଦଳରେ ଅନ୍ତର୍ଜାତୀୟ ବଜାରରେ ୨୨ ଟଙ୍କାର ଭାଲ୍ୟୁ ରଖାଯାଏ । ପରଚେଜିଂ ପାୱାର ପ୍ୟାରିଟିର ଏହି ସୂତ୍ରରୁ ଆପଣମାନେ ଏହି ସିଦ୍ଧାନ୍ତରେ ପହଞ୍ଚିବେ ଯେ, ଆମେ ଭାରତୀୟମାନେ ଦୁନିଆର ସବୁଠାରୁ ମହଙ୍ଗା ଏଲପିଜି କ୍ରୟ କରୁଛେ ।