ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳର ଲରିପାଲି ଜଙ୍ଗଲର ଏକ ପରିତ୍ୟକ୍ତ ନଳକୂପରୁ ଉଦ୍ଧାର ହୋଇଥିବା ନବଜାତକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ପାଖାପାଖି ୮ ଘଣ୍ଟାର ସଂଘର୍ଷ ପରେ ପୋଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ୨୫ ଫୁଟ ବୋରୱେଲ ଭିତରୁ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉକ୍ତ ଶିଶୁଟି ଉଦ୍ଧାର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହ ତା’ର ଦୀର୍ଘଜୀବନ କାମନା କରିଥିଲେ ।
ତେବେ ଏହି ଘଟଣା ପରେ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ଏହି ଶିଶୁଟିକୁ କିଏ ଓ କାହିଁକି ବୋରୱେଲ ଭିତରେ ପକାଇଥିଲା, ଶିଶୁକୁ ଏମିତି ଦୟନୀୟ ଭାବେ ପକାଇ ଦେଇ ଚାଲିଯିବା ପଛରେ କାହାର କ’ଣ ଉଦ୍ଦେଶ୍ୟ ରହିଥିଲା? ଗୋଟିଏ ମଣିଷ ଭୁଲ କରୁଛି, ମାତ୍ର ଗୋଟିଏ ସରଳ ନିଷ୍ପାପ ଶିଶୁ ତା’ର ଦଣ୍ଡ ପାଉଛି । ଏହି ଘଟଣା ପରେ ଲାଗୁଛି ସତେ ଯେମିତି ଆମ ସମାଜରୁ ମାନବିକତା ହଜିଯାଇଛି । ଏହି ଘଟଣା ଆମ ସମାଜ ପାଇଁ ଏକ ଲଜ୍ଜାଜନକ ଘଟଣା । ଏହାକୁ ଯେତେ ନିନ୍ଦା କଲେ ବି କମ୍ ହେବ ।
ତେବେ ୬ ଇଞ୍ଚର ଲୁହା ପାଇପ୍ ଭିତରେ ଗୋଟିଏ ୨ ଦିନର ନବଜାତ ଶିଶୁ କେମିତି ବଞ୍ଚିପାରିଲା ତାହା ଏବେ ସଭିଙ୍କ ତାଜୁବ କରିଦେଇଛି । କିଛି ଅଦ୍ଭୁତ ଶକ୍ତି ଏହି ନିରୀହ ଶିଶୁକୁ ବଞ୍ଚାଇଥିବା ନେଇ ଏବେ ଲୋକମାନେ ଚର୍ଚ୍ଚା କରୁଛନ୍ତି । ପାଖାପାଖି ୨୫ ଫୁଟର ବୋରୱେଲ ଭିତରୁ ଶିଶୁର କ୍ରନ୍ଦନ ଶୁଣାଯିବା ପରେ ଉଦ୍ଧାରକାରୀ ଟିମଙ୍କ ମଧ୍ୟରେ ଶିଶୁଟିକୁ ବଞ୍ଚାଇବାର ଉତ୍ସାହ ଆହୁରି ବଢ଼ିଯାଇଥିଲା । ମାତ୍ର ଦୁଇଦିନ ତଳେ ଜଣେ ମାଆ ଉକ୍ତ ଶିଶିଟିକୁ ଜନ୍ମ ଦେଇଥିଲେ । ତେବେ ତାଙ୍କ ଗର୍ଭରୁ ପୁଅ ନୁହେଁ, ଝିଅ ଜନ୍ମ ନେଇଥିବାରୁ ଶିଶୁଟିକୁ ନେଇ ସେ ଜଙ୍ଗଲର ଏକ ବୋରୱେଲ ଭିତରେ ଫୋପାଡ଼ି ଦେଇଥିଲେ । ତେବେ ଘଞ୍ଚ ଜଙ୍ଗଲ ଭିତରେ ଗୋଟିଏ ଲୁହା ପାଇପ୍ ଭିତରେ ଗୋଟିଏ ୨ ଦିନର ଶିଶୁ ଜୀବିତ ରହିବା କୌଣସି ଔଶ୍ୱରୀୟ ଚମକ୍ରାର ଠାରୁ କମ୍ ନୁହେଁ ।