ନୂଆଦିଲ୍ଲୀ: କୁମାରୀତ୍ୱ ପରୀକ୍ଷା କରିବାକୁ ଜଣେ ମହିଳାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ। ଏହା ସମ୍ୱିଧାନ ଧାରା ୨୧କୁ ଉଲ୍ଲଂଘନ କରେ । ଏହା ମହିଳାଙ୍କ ଜୀବନ ଏବଂ ସ୍ୱାଧୀନତାର ସୁରକ୍ଷାର ମୌଳିକ ଅଧିକାର ବୋଲି କହିଛନ୍ତି, ଛତିଶଗଡ଼ ହାଇକୋର୍ଟ ।
୨୦୨୪ ଜୁଲାଇ ମାସରେ ଦାଖଲ ହୋଇଥିବା ଏକ ମାମଲାରେ, ପତ୍ନୀ ପ୍ରତି ମାସରେ ୨୦,୦୦୦ ଟଙ୍କାର ଭରଣପୋଷଣ ସ୍ୱାମୀଙ୍କ ଠାରୁ ଦାବି କରିଥିଲେ । ଏହି ଦମ୍ପତ୍ତି ୨୦୨୩ ଏପ୍ରିଲ ୩୦ ତାରିଖରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ।
କିନ୍ତୁ ବିବାହର କିଛିଦିନ ମଧ୍ୟରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ସ୍ୱାମୀଙ୍କ ଉପରେ ନପୁଂସକତାର ଅଭିଯୋଗ ଆଣିଥିଲା ସ୍ତ୍ରୀ। ଏଥିସହ ସ୍ୱାମୀ ସ୍ତ୍ରୀଙ୍କର ଅବୈଧ ସମ୍ପର୍କ କଥା ଉଠାଇଥିଲେ।
ଏହାପରେ, ସ୍ୱାମୀ ନିଜ ସ୍ତ୍ରୀଙ୍କ କୁମାରୀତ୍ୱ ପରୀକ୍ଷା ପାଇଁ ଦାବି କରିଥିଲେ । ସ୍ୱାମୀଙ୍କ ଏଭଳି ଆବେଦନକୁ ଫ୍ୟାମିଲି କୋର୍ଟ ଖାରଜ କରିଦେଇଥିଲାେ। ଏହା ବିରୋଧରେ ସ୍ୱାମୀ ଜଣଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଜଷ୍ଟିସ୍ ଅରବିନ୍ଦ କୁମାର ବର୍ମାଙ୍କ ଖଣ୍ଡପୀଠ ଏନେଇ ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ଯେ, କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ ଏବଂ ମହିଳାଙ୍କ ମର୍ଯ୍ୟାଦାର ଅଧିକାରକୁ ଉଲ୍ଲଂଘନ କରୁଛି।
ଏହା ସମ୍ବିଧାନର ଧାରା ୨୧ (ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର)ର ଉଲ୍ଲଂଘନ କରୁଛି। ଯଦି ସ୍ୱାମୀ ତାଙ୍କ ବିରୁଦ୍ଧରେ ଅଭିଯୋଗକୁ ଭୁଲ ପ୍ରମାଣିତ କରିବାକୁ ଚାହାଁନ୍ତି, ତେବେ ସେ ନିଜର ଡାକ୍ତରୀ ପରୀକ୍ଷା କରାଇପାରିବେ। କିନ୍ତୁ ପତ୍ନୀଙ୍କର କୁମାରୀତ୍ବ ପରୀକ୍ଷା, ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ।