ରେଷ୍ଟୁରାଣ୍ଟ ମାନେଜରଙ୍କ ମୁହଁ ଉପରକୁ ଫୋପାଡ଼ିଲେ ଗରମ ସୁପ୍, ଭାଇରାଲ୍ ହେଉଛି ଉଦ୍ଧତ ମହିଳାଙ୍କ ଭିଡିଓ

ୱାଶିଂଟନ୍: ଜଣେ ଗ୍ରାହକ ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କ ମୁହଁ ଉପରକୁ ଗରମ ଗରମ ଧୂଆଁ ବାହାରୁଥିବା ସୁପ୍ ଫୋପାଡ଼ିଛନ୍ତି । ଯାହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମହିଳା ଗ୍ରାହକ ଜଣକ ଖାଦ୍ୟକୁ ନେଇ ଏତେ ପରିମାଣରେ ଅସନ୍ତୁଷ୍ଟ ଥିଲେ ଯେ, ସେ ନିଜ ରାଗ ଉପରେ ,ନିୟନ୍ତ୍ରଣ ରଖି ନ ପାରି ହାତରେ ଧରିଥିବା ଗରମ ଗରମ ସୁପ୍ ସେଠାକାର ମ୍ୟାନେଜରଙ୍କ ମୁହଁକୁ ଫିଙ୍ଗି ଦେଇଛନ୍ତି । ଯାହା ଉପରେ ଉକ୍ତ ମହିଳା ଗ୍ରାହକଙ୍କ ବିରୋଧରେ ପୋଲିସ୍ ମାମଲା ରୁଜୁ କରିଛି । ତେବେ ଏହି ଘଟଣା ଟେକ୍ସାସ୍ ର ଏକ ରେଷ୍ଟୁରାଣ୍ଟରେ ହୋଇଥିବା ଜଣାପଡ଼ିଛି । ତେବେ ଅଭିଯୁକ୍ତ ମହିଳାଙ୍କ ସହିତ ଜଣେ ଯୁବକ ଥିବା ବେଳେ ଦୁହେଁ ଏପରି କାଣ୍ଡ କରିବା ପରେ ଫେରାର୍ ହୋଇଯାଇଛନ୍ତି ।

ଘଟଣା ଅନୁଯାୟୀ, ଏଭଳି ଏକ କାଣ୍ଡ ଘଟାଇଥିବା ମହିଳା ଜଣକ ରେଷ୍ଟୁରାଣ୍ଟରୁ ଏକ ସ୍ପାଇସି ମେକ୍ସିକାନ୍ ସୁପ୍ ଅର୍ଡର୍ କରିଥିଲେ । ହେଲେ ତାକୁ ପିଇବା ସମୟରେ ସେଥିରୁ ପ୍ଲାଷ୍ଟିକ୍ ଦେଖିବାକୁ ପାଇଥିଲେ । ଏହାପରେ ରେଷ୍ଟୁରାଣ୍ଟ ମ୍ୟାନେଜର୍ ଜେନେଲି ବ୍ରୋଲାଣ୍ଡଙ୍କ ସହିତ ଏହି କଥାକୁ ନେଇ ଖୁବ୍ ଜୋରରେ ଝଗଡ଼ା କରିବାକୁ ଲାଗିଲେ । ଏହିପରି ଭାବରେ ଝଗଡ଼ା କରୁ କରୁ ହଠାତ୍ ଗରମ ସୁପ୍ କୁ ମ୍ୟାନେଜରଙ୍କ ମୁହଁକୁ ଫୋପାଡ଼ି ଦେଇଥିଲେ । ତେବେ ବ୍ରୋଲାଣ୍ଡଙ୍କର ବିଶେଷ କିଛି କ୍ଷତି ହୋଇନାହିଁ ।
ବ୍ରୋଲାଣ୍ଡ ଏନେଇ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ଭିଡିଓକୁ ସୋସିଆଲ ମିଡିଆ ୟୁଜର୍ସ ମାନେ ଘୋର ବିରୋଧ କରୁଛନ୍ତି । ତେବେ ଏହି ଘଟଣାର ଭିଡିଓ ଟିକଟକ୍ ରେ ଖୁବ୍ ଭାଇରାଲ୍ ହେଉଛି ।