ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଶ୍ କିଛି ଦିନ ରାଜ୍ୟରେ ସୂର୍ଯ୍ୟଙ୍କ କୋପ ଦେଖିବାକୁ ମିଳିବା ପରେ ଏବେ ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବାବେଳେ ଏହାର ପ୍ରଭାବରେ ଅବିଶ୍ରାନ୍ତ ବର୍ଷାରେ ସାରା ରାଜ୍ୟ ଭିଜିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଘୂର୍ଣ୍ଣିବଳୟ ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପର ରୂପ ନେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ସାରା ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓ ଉତ୍ତର ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ । ଏଥିପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଦିଆଯାଇଛି ।
ସେହିପରି ୮ ତାରିଖରେ ୯ଟି ଜିଲ୍ଲା ଓ ୯ ତାରିଖରେ ୧୬ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବା ପରେ ଏହା ଉତ୍ତର, ଉତ୍ତର- ପଶ୍ଚିମ ଦିଗକୁ ଗତି କରି ଛତିଶଗଡ଼କୁ ମୁହାଁଇବ ବୋଲି ବିଭାଗ ସୂଚନା ଦେଇଛି । ଫଳରେ ଛତିଶଗଡ଼ର ଉପରମୁଣ୍ଡ ସମେତ ତଳମୁଣ୍ଡରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆକଳନ କରାଯାଇଛି ।
ଯଦି ଲଘୁଚାପ ଅଧିକ ଘନୀଭୂତ ହୁଏ ତେବେ ଏହା ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ । ୯ରୁ ୧୫ ତାରିଖ ମଧ୍ୟରେ ଆଉ ଏକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।