ପରୀ ହତ୍ୟାକାଣ୍ଡ: ଦୋଷୀଙ୍କୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଲେ କୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଆସିଛି ଏକ ବଡ଼ ଅପଡେଟ୍ । ଏହି ମାମଲାରେ ଦୋଷୀ ବିରୋଧରେ ୨୦ ବର୍ଷର ଜେଲଦଣ୍ଡାଦେଶ ଶୁଣାଣି ହୋଇଛି । ଜେଲଦଣ୍ଡ ସହିତ ଜରିମାନା ଆଦେଶ ଦେଇଛନ୍ତି ନୟାଗଡ଼ ଚିଲଡ୍ରେନ୍ କୋର୍ଟ । ୨୦୨୦ ମସିହାରେ ଘଟିଥିବା ଏହି ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ହଇସୃଷ୍ଟି ହୋଇଥିଲା ।

ଏହି ଘଟଣାର ଦୋଷୀଙ୍କୁ ପୂର୍ବରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ପରୀ ପରିବାର ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହି ଘଟଣାର ୩୪ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯିବା ସହିତ ୪ ଜଣଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ପ୍ରଥମେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା ।

ନୟାଗଡ଼ର ଶିଶୁକନ୍ୟା ପରୀକୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଥିଲା । ସେହି ଧାରଣାରେ ପରୀର ବାପା-ମା’ ସାମିଲ ହୋଇଥିଲେ । ମାମଲାର ତଦନ୍ତ ଏକ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କରାଇବା ପାଇଁ ଜାତୀୟ ଶିଶୁ ସୁରକ୍ଷା ଆୟୋଗ (ଏନସିପିସିଆର) ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିଲା ।

୨୦୨୦ ମସିହା ଜୁଲାଇ ମାସ ୧୪ ତାରିଖରେ ନୟାଗଡ଼ର ଯଦୁପୁର ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ସରଳ ନିଷ୍ପାପ ଶିଶୁ ପରୀ ନିଖୋଜ ହୋଇଯାଇଥିଲା । ଏହାପରେ ବହୁତ ଖୋଜାଖୋଜି କରିବା ପରେ ପରୀର ସନ୍ଧାନ ମିଳିନଥିଲା । ତେଣୁ ଏନେଇ ପରୀର ବାପା ନୟାଗଡ଼ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ୧୦ ଦିନ ପରେ ପରୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ଏକ ଅଖା ବସ୍ତାରୁ ଶରୀରର ଅଂଶବେିଶେଷ ଓ ହାଡ଼ ମିଳିଥିଲା । ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।