ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । କମିଛି ପାରଦ । ଫଳରେ ଅସହ୍ୟ ଗରମରୁ ସାମାନ୍ୟ ତ୍ରାହି ପାଇଛନ୍ତି ଭୁବନେଶ୍ୱରର ବାସିନ୍ଦା । ରାଜଧାନୀରେ ଗରମ ସିନା ଟିକିଏ କମିଥାଇ ପାରେ, କିନ୍ତୁ ଅନ୍ୟ ସହର ଗୁଡିକରେ ଏବେ ବି ଲୋକଙ୍କୁ ଛଟପଟ କରୁଛି ତାପମାତ୍ରା । ଆଜି ରାଜ୍ୟର ମୋଟ ୨୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ତେବେ ଏଥି ମଧ୍ୟରେ ୧୪ଟି ସହରର ତାତି ୪୨ଡିଗ୍ରୀ ଉପରେ ରହିଥିବା ବେଳେ ୪୩ଡିଗ୍ରୀ ଉପରେ ରହିଛି ୯ଟି ସହର ।
୪୪.୫ ଡ଼ିଗ୍ରୀ ସହ #ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର #୯ସହରରେ ୪୩ ଡ଼ିଗ୍ରୀ କିମ୍ବା ଅଧିକ ଦିନର ତାତି #ଝାରସୁଗୁଡା ରେ ୪୩.୯ ଡ଼ିଗ୍ରୀ, #ବଲାଙ୍ଗୀର ୪୩.୮ ଡ଼ିଗ୍ରୀ , #ସୋନପୁର ରେ ୪୩.୬ ଡ଼ିଗ୍ରୀ ଏବଂ #ଟିଟଲାଗଡ ରେ ୪୩.୫ ଡ଼ିଗ୍ରୀ ତାତି pic.twitter.com/RY4y943xhn
— Meteorological Centre, Bhubaneswar (@mcbbsr) April 26, 2022
୪୪.୫ ଡିଗ୍ରୀ ତାପମାତ୍ରା ସହିତ ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଏହାପଛକୁ ଝାରସୁଗୁଡା ୪୩.୯ଡିଗ୍ରୀ ଥିବା ବେଳେ ବଲାଙ୍ଗୀର ଏବଂ ବାରିପଦାରେ ୪୩.୮ ରେକର୍ଡ ହୋଇଛି । ଏହାବ୍ୟତୀତ ସୋନପୁରର ତାପମାତ୍ରା ୪୩.୬, ଟିଟିଲାଗଡରେ ୪୩.୫, ଅନୁଗୁଳ ଏବଂ ସମ୍ବଲପୁରରେ ୪୩.୧ ଏବଂ ସୁନ୍ଦରଗଡରେ ତାତିର ପରିମାଣ ୪୩ ଡିଗ୍ରୀରେ ପହଞ୍ଚିଛି । ସେହିପରି ଦେବଗଡରେ ୪୨.୮ଡିଗ୍ରୀ ଥିବା ବେଳେ ହୀରାକୁଦରେ ୪୨.୩ ଏବଂ ଖୋର୍ଦ୍ଧା, ଭବାନୀପାଟଣା ଏବଂ ବରଗଡର ତାପମାତ୍ରା ୪୨ରେ ପହଞ୍ଚିଛି ।
ଅନ୍ୟପକ୍ଷରେ ନୂଆପଡା, ଢେଙ୍କାନାଳ, ପାରଳାଖେମୁଣ୍ଡି, ନୟାଗଡ, ରାୟଗଡା, କେନ୍ଦୁଝର ଯାଜପୁର, ଭଦ୍ରକ ଆଦି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିଛି ଆଜିର ତାପମାତ୍ରା । ତେବେ ଭୁବନେଶ୍ୱରରେ ଗତ ତିନି ଦିନ ଅପେକ୍ଷା ତାତି ସାମାନ୍ୟ କମ ରହିଛି । ଭୁବନେଶ୍ୱରର ତାପମାତ୍ରା ଆଜି ୩୯.୬ଡିଗ୍ରୀ ରେକର୍ଡ ହୋଇତିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।