ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ସବୁ ମ୍ୟୁନିସିପାଲ କମିସନର ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ।
ତେବେ ୨୦୧୧ ଜନଗଣନା ଅନୁଯାୟୀ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ହେବ । ୫ ମହାନଗର ନିଗମ ଓ ୧୦୭ ପୌରାଞ୍ଚଳରେ ସୀମା ପୁନଃ ନିର୍ଦ୍ଧାରଣ ହେବ । ଅଣସୂଚିତ ଅଞ୍ଚଳରେ ରହିବନି ଓବିସି ସଂରକ୍ଷଣ । ଜାନୁଆରି ୫ ସୁଦ୍ଧା ମହାନଗର ନିଗମର ସୀମା ପୁନଃ ନିର୍ଦ୍ଧାରଣ ତାଲିକା ପ୍ରକାଶ ପାଇବ । ଜାନୁଆରି ୭ ସୁଦ୍ଧା ପ୍ରକାଶ ପାଇବ ସଂରକ୍ଷଣ ଚିଠା ତାଲିକା ।
ମ୍ୟୁନିସିପାଲିଟି, ଏନଏସି ପାଇଁ ଆଜିଠୁ ଆରମ୍ଭ ହେବ ପ୍ରକ୍ରିୟା । ୩ଟି ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ୫ ତାରିଖ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ଚିଠା ତାଲିକା ପ୍ରକାଶ କରିବାକୁ କୁହାଯାଇଛି । ଜାନୁଆରି ୧୨ ସୁଦ୍ଧା ଆପତ୍ତି, ଅଭିଯୋଗ ଦାଖଲ କରିପାରିବେ ଲୋକେ । ଜାନୁଆରି ୧୩ରେ ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବ ।